ଜାରି ହେଲା ‘ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ’ : ଓଡ଼ିଶାରେ ବୃଦ୍ଧି ପାଇଛି ଜଙ୍ଗଲ ଅଞ୍ଚଳ

ଥିଲା ୫୧,୩୪୫ ବର୍ଗ କିମି, ଏବେ ୫୧,୬୧୮.୫୧

ନୂଆଦିଲ୍ଲୀ : ଓଡ଼ିଶାରେ ୨୭୩.୫୧ ବର୍ଗ କି.ମି. ଜଙ୍ଗଲ ଅଞ୍ଚଳ (ଫରେଷ୍ଟ କଭର) ବୃଦ୍ଧି ହୋଇଛି। ‘ ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହା ଜଣାପଡ଼ିଛି। ଆଜି ଦିଲ୍ଲୀଠା‌ରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

ରାଜ୍ୟରେ ଜଙ୍ଗଲ ଅଞ୍ଚଳ ହେଉଛି ୫୧,୬୧୮.୫୧ ବର୍ଗ କି.ମି.। ରିପୋର୍ଟ ଦର୍ଶାଇଛି ଯେ, ଏହି ରାଜ୍ୟରେ ଭେରି ଡେନ୍ସ ଫରେଷ୍ଟ ( ଅତି ଘଞ୍ଚ ଜଙ୍ଗଲ) ୬୯୫୭ ବର୍ଗ କି.ମି. ହୋଇଥିବାବେଳେ ମଧ୍ୟମ ଘଞ୍ଚ ଜଙ୍ଗଲ ୨୧.୩୭୦ ବର୍ଗ କି.ମି. ଏବଂ ଖୋଲା ଜଙ୍ଗଲ ୨୩.୦୦୮ ବର୍ଗ କି.ମି.। ପୂର୍ବରୁ ରାଜ୍ୟରେ ଜଙ୍ଗଲ ଅଞ୍ଚଳ ୫୧୩୪୫ ବର୍ଗ କି.ମି. ରହିଥିଲା। ଚଳିତବର୍ଷ ୨୭୩.୫୧ ବର୍ଗ କି.ମି. ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

ସେହିଭଳି, ଓଡ଼ିଶାରେ ରେକର୍ଡଭୁକ୍ତ ଜଙ୍ଗଲ ଅଞ୍ଚଳ ଭିତରେ ୩୨.୮୦୯ ବର୍ଗ କି.ମି. ରହିଥିବାବେଳେ ଏହାର ବାହାରେ ୧୮,୮୧୦ ବର୍ଗ କି.ମି. ଜଙ୍ଗଲ ରହିଛି। ଏଥିସହିତ, ଓଡ଼ିଶାର ସମସ୍ତ ୩୦ ଜିଲ୍ଲାର ଜଙ୍ଗଲ ଅଞ୍ଚଳ ସମ୍ପର୍କରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଛି। କନ୍ଧମାଳରେ ୬୫.୦୧ ପ୍ରତିଶତ ହାରରେ ସର୍ବାଧିକ ୫,୩୯୭୧.୭୧ ବର୍ଗ କି.ମି. ରହିଥିବାବେଳେ ସର୍ବନିମ୍ନ ଜଙ୍ଗଲ ଅଞ୍ଚଳ ଭଦ୍ରକରେ ୧.୩୪ ପ୍ରତିଶତ ସହ ୭୮.୦୦ ବର୍ଗ କି.ମି. ରହିଛି। ଓଡ଼ିଶାର ୧୨ଟି ଆଦିବାସୀ ଜିଲ୍ଲାମାନଙ୍କ ମଧ୍ୟରୁ ବାଲେଶ୍ବର, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଙ୍ଗଲ ଅଞ୍ଚଳ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ମାଲକାନଗିରିରେ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇଛି। ୨୦୧୭ରେ ମାଲକାନଗିରି ଜିଲ୍ଲାରେ ୨୩୪୨ ବର୍ଗ କି.ମି. ଜଙ୍ଗଲ ଅଞ୍ଚଳ ଥିବାବେଳେ ଚଳିତ ବର୍ଷ ଜଙ୍ଗଲ ଅଞ୍ଚଳ ୨୩୩୬.୧୭ ବର୍ଗ କି.ମି.କୁ ଖସିଆସିଛି।

ତେବେ, ରିପୋର୍ଟରେ ଓଡ଼ିଶାରେ ହେନ୍ତାଳ ବଣ ବୃଦ୍ଧି ହୋଇଥିବା ଦର୍ଶାଯାଇଛି। ୨୦୧୯ରେ ଓଡ଼ିଶାରେ ହେନ୍ତାଳ ବଣ ୨୫୧ ବର୍ଗ କି.ମି. ରହଛି। ୨୦୧୯ରେ ଓଡ଼ିଶାରେ ହେନ୍ତାଳ ବଣ ୮ ବର୍ଗ କି.ମି. ବୃଦ୍ଧି ହୋଇଛି। ୨୦୧୫ରେ ଓଡ଼ିଶାରେ ହେନ୍ତାଳ ବଣ ୨୩୧ ବର୍ଗ କି.ମି. ରହିଥିବାବେଳେ ୨୦୧୭ରେ ୨୪୩ ବର୍ଗ କି.ମି. ଥିଲା। ୨୦୧୯ ମସିହାରେ ବହୁତ ଘଞ୍ଚ ହେନ୍ତାଳ ବଣ ୮୧.୦୦ ବର୍ଗ କି.ମି., ମଧ୍ୟମ ଘଞ୍ଚ ହେନ୍ତାଳ ବଣ ୯୪.୦୦ ବର୍ଗ କି.ମି. ଓ ଖୋଲା ହେନ୍ତାଳ ବଣ ୭୬.୦୦ ବର୍ଗ କି.ମି. ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ, ଜଙ୍ଗଲ ନିଆଁ ଲାଗିବା ପ୍ରସଙ୍ଗ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟରେ ଓଡ଼ିଶାରେ ୧,୪୪୯ ବର୍ଗ କି.ମି.ରେ ଜଙ୍ଗଲ ଅତ୍ୟଧିକ ଜଙ୍ଗଲ ନିଆଁପ୍ରବଣ ଜଙ୍ଗଲ ତାଲିକାରେ ଚିହ୍ନଟ କରାଯାଇଛି। ଜଙ୍ଗଲରେ ନଭେମ୍ବର ୨୦୧୮ରୁ ଜୁନ ୨୦୧୯ ପର୍ଯ୍ୟନ୍ତ ଏମଓଡିଆଇଏସ୍ ଅନ୍ତର୍ଗତ ୨,୧୨୩ ଜଙ୍ଗଲରେ ନିଆଁଲାଗିବା ଚେତାବନୀ ଦିଆଯାଇଥିବାବେଳେ ୧୯,୧୫୯ ଏସଏନପିପି-ଭିଆଇଆଇଆରସ୍ ଅନ୍ତର୍ଗତ ଚେତାବନୀ ଦିଆଯାଇଥିଲା।

‌ଆହୁରି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ୧୧,୮୨୭ ବର୍ଗ କି.ମି. ବାଉଁଶ ଜଙ୍ଗଲ ଅଞ୍ଚଳ ରହିଛି। ତେବେ, ୨୦୧୭ ତୁଳନାରେ ୨୮୨ ବର୍ଗ କି.ମି. ବାଉଁଶ ଜଙ୍ଗଲ ହ୍ରାସ ପାଇଥିବାରିପୋର୍ଟରେ କୁହାଯାଇଛି। ୨୦୧୭ରେ ଓଡ଼ିଶାରେ ବାଉଁଶ ଜଙ୍ଗଲ ଅଞ୍ଚଳ ୧୨,୧୦୯ ବର୍ଗ କି.ମି. ଥିଲା।

ସମ୍ବନ୍ଧିତ ଖବର