ଜାନୁଆରି ୬ରୁ ଭାରତ-ବ୍ରିଟେନ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ ହେବ

ନୂଆଦିଲ୍ଲୀ: ଭାରତ- ବ୍ରିଟେନ୍‌ ମଧ୍ୟରେ ବନ୍ଦ ରହିଥିବା ବିମାନ ସେବାକୁ ଆସନ୍ତା ଜାନୁଆରି ୬ ତାରିଖରୁ ପୁନଃ ଆରମ୍ଭ କରାଯିବ। ଉଲ୍ଲେଖଯୋଗ୍ୟ, ବ୍ରିଟେନ୍‌୍‌ରେ କୋଭିଡ୍‌- ୧୯ ଭୂତାଣୁର ଏକ ନୂତନ ପ୍ରଜାତି ଆତଙ୍କ ସୃଷ୍ଟି କରିବା ପରେ ଭାରତ ପକ୍ଷରୁ ବ୍ରିଟେନ୍‌କୁ ବିମାନସେବା ବନ୍ଦ କରି ଦିଆ ଯାଇଥିଲା।

ତେବେ, ବ୍ରିଟେନ ଏବଂ ଭାରତ ମଧ୍ୟରେ ବନ୍ଦ ଥିବା ବିମାନ ସେବା ଆସନ୍ତା ଜାନୁଆରି ୬ ତାରିଖରୁ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତି ସପ୍ତାହରେ ଉଭୟ ଦେଶ ମଧ୍ୟରେ ୩୦ ବିମାନ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟାକୁ ବଢ଼ାଯିବ ବୋଲି କହିଛନ୍ତି ବେସାମରିକ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀ।

ବ୍ରିଟେନ୍‌ରେ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆତଙ୍କ ସୃଷ୍ଟି କରିବା ପରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ ତାରିଖ ମଧ୍ୟରାତ୍ରରୁ ଲାଗୁ ହୋଇ ଡିସେମ୍ବର ୩୧ ରାତିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। ପରେ ପରିସ୍ଥିତିକୁ ଦେଖି ପ୍ରତିବନ୍ଧକ ଅବଧି ଆଗକୁ ବଢ଼ାଇ ଦିଆଯାଇପାରେ ବୋଲି ମଧ୍ୟ ସେତେବେଳେ କହିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ। ଏବଂ ପରେ ଏହି ଅବଧିକୁ ଜାନୁଆରି ୭କୁ ବୃଦ୍ଧି କରାଯାଇଥିଲା। କିନ୍ତୁ, ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏବେ ଜାନୁଆରି ୬ରୁ ଭାରତରୁ ବ୍ରିଟେନକୁ ବିମାନ ଚଳାଚଳ କରିବ ବୋଲି ଆଜି ଶ୍ରୀ ପୁରୀ କହିଛନ୍ତି।

ଭାରତ ଏବଂ ବ୍ରିଟେନ ମଧ୍ୟରେ ଜାନୁଆରି ୬ରୁ ଆରମ୍ଭ ହେବାକୁ ଥିବା ବିମାନ ସେବା ପ୍ରଥମ ସପ୍ତାହରେ କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଉପଲବ୍ଧ ହେବା ସହ ମାତ୍ର ୩୦ଟି ବିମାନ ଉଡ଼ାଣ ଭରିବ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯିବ।

ସମ୍ବନ୍ଧିତ ଖବର