ବଜାରକୁ ଆସିଲା ଭାରତର ସବୁଠୁ ଶସ୍ତା ‘ରେମ୍ଡେସିଭିର୍’
୨,୮୦୦ ଟଙ୍କାରେ ଜାଇଡସ୍-କାଡ଼ିଲା ଛାଡ଼ିଲା ଏହି ଇଞ୍ଜେକ୍ସନ୍
ବେଙ୍ଗାଲୁରୁ: ଆମେରିକାର ଜଣାଶୁଣା ଜୈବଭେଷଜ କମ୍ପାନି ଜିଲିଆଡ୍ ସାଇନ୍ସେସ୍ ଦ୍ବାରା ବିକଶିତ ଭୂତାଣୁବିରୋଧୀ ‘ରେମ୍ଡେସିଭିର୍’ର ଏକ ଶସ୍ତା ସଂସ୍କରଣକୁ ଭାରତୀୟ ଭେଷଜ କମ୍ପାନି ଜାଇଡସ୍-କାଡ଼ିଲା ବଜାରକୁ ଛାଡ଼ିଛି। ‘ରେମ୍ଡାକ୍’ ନାମରେ ଉପଲବ୍ଧ ହେଉଥିବା ଏହି ଶହେ ମିଲିଗ୍ରାମ୍ ବିଶିଷ୍ଟ ଇଞ୍ଜେକ୍ସନ୍ର ମୂଲ୍ୟ ମାତ୍ର ୨୮୦୦ ଟଙ୍କା ରଖାଯାଇଛି। ବିଶେଷ କରି ବିଭିନ୍ନ ସରକାରୀ ଓ ବେସରକାରୀ ହାସପାତାଳରେ ଚିକିତ୍ସାଧୀନ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ଏହା ମିଳିପାରିବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଶ୍ବର ତୃତୀୟ ସର୍ବାଧିକ କୋଭିଡ୍ କ୍ଷତିଗ୍ରସ୍ତ ଦେଶ ଭାରତରେ ଏହି ରେମ୍ଡେସିଭିର ଇଞ୍ଜେକ୍ସନ୍ର ଅଭାବ ପରିଲକ୍ଷିତ ହେଉଥିବା ରିପୋର୍ଟ ଆସିବା ପରେ ଜାଇଡସ୍-କାଡ଼ିଲା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଥାଉ କି, ଭାରତରେ ରେମ୍ଡେସିଭିର୍ ଛାଡ଼ିବାରେ କାଡ଼ିଲା ହେଉଛି ପଞ୍ଚମ ଔଷଧ କମ୍ପାନି। ଏହା ପୂର୍ବରୁ ହେଟେରୋ ଲ୍ୟାବ୍ସ, ସିପ୍ଲା, ମାଇଲନ୍ ଏନ୍ଭି ଏବଂ ଜୁବିଲାଣ୍ଟ ଲାଇଫ୍ ସାଇନ୍ସେସ୍ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ରେମ୍ଡେସିଭିର୍ ଶସ୍ତାରେ ବଜାରରେ ଉପଲବ୍ଧ ହେଉଛି। ସେହିପରି ଭାରତ ସମେତ ଅନ୍ୟ ୧୨୭ଟି ଦେଶରେ ଏହି ଇଞ୍ଜେକ୍ସନ୍ର ସହଜ ଉପଲବ୍ଧ ପାଇଁ ଜିଲିଆଡ୍ କମ୍ପାନି ଭାରତୀୟ କମ୍ପାନି ଡ. ରେଡି’ସ୍ ସହ ରାଜିନାମା କରିଛି।