ରାଜନୀତିକୁ ପ୍ରାଧାନ୍ୟ ଦେଇଥିବାରୁ ଆଦିବାସୀ ସମାଜକୁ ଅଣଦେଖା କରାଯାଇଛି: ମୋଦୀ

ନୂଆଦିଲ୍ଲୀ: ଦେଶ ସ୍ବାଧୀନ ହେବାପରେ ପ୍ରଥମ ଥର ପାଇଁ ସ୍ବାଧୀନତା ଆନ୍ଦୋଳନ ପ୍ରତି ଆଦିବାସୀମାନଙ୍କର ରହିଥିବା ଅବଦାନ ଏବଂ ଆଦିବାସୀ ସମାଜର ସଂସ୍କୃତିକୁ ଗର୍ବର ସହିତ ମନେ ପକାଯାଇ ପାଳନ କରାଯାଉଛି। ଆଦିବାସୀ ସମାଜ ସଂପର୍କରେ ଲୋକମାନେ ଅଳ୍ପ କିଛି ଜାଣି ପାରିଛନ୍ତି। କାରଣ ଯେଉଁମାନେ ସ୍ବାଧୀନତା ପରେ ଦେଶକୁ ଦଶନ୍ଧି ଦଶନ୍ଧି ଧରି ଶାସନ କରୁଥିଲେ ସେମାନେ ଆତ୍ମକୈନ୍ଦ୍ରିକ ରାଜନୀତି କରୁଥିଲେ। ଦଶନ୍ଧି ଦଶନ୍ଧି ଧରି ଆଦିବାସୀମାନଙ୍କ ସଂସ୍କୃତି ଏବଂ କ୍ଷମତାକୁ ଅଣଦେଖା କରାଯାଇଛି। ଏପିରିକି ଦେଶର ମୋଟ ଜନସଂଖ୍ୟାରେ ସେମାନଙ୍କର ସଂଖ୍ୟା ୧୦ ପ୍ରତିଶତ ହୋଇଥିଲେ ବି ଏହା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଆଦିବାସୀ ସଂପ୍ରଦାୟର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଆଜି ତାଙ୍କର ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଭୋପାଳଠାରେ ଏହି ଉପଲକ୍ଷେ ଆୟୋଜିତ ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିବା ସହିତ ଦେଶ ଆଜି ପ୍ରଥମ ଜନଜାତୀୟ ଗୌରବ ଦିବସ ପାଳନ କରୁଛି ବୋଲି କହିଛନ୍ତି। ସମ୍ମିଳନୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗ ଦେଇ କହିଛନ୍ତି ବ୍ରିଟିସ କିମ୍ବା କଂଗ୍ରେସ ଗୋଣ୍ଡ ରାଣୀ କମଳାପତିଙ୍କ ପ୍ରତି ଅତୀତରେ ଉପଯୁକ୍ତ ମାନ୍ୟତା ଦେଇନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ହବିବଗଂଜ ରେଳ ଷ୍ଟେସନକୁ ରାଣୀ କମଳାପତି ଷ୍ଟେସନରେ ନାମିତ କରିଛନ୍ତି। ଜନଜାତୀୟ ଗୌରବ ଦିବସ ମହାସମ୍ମେଳନ ଆୟୋଜନ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏହା ଅର୍ଥର ଅପଚୟ। ବିଜେପି ସରକାର ଆଦିବାସୀ ବିରୋଧୀ ବୋଲି କିଛି ଲୋକ କହୁଛନ୍ତି ଏବଂ ଅଦାଲତକୁ ଯାଉଛନ୍ତି। ସେମାନେ ଏବେ ବିଚଳିତ ହୋଇ ପଡ଼ିଛନ୍ତି ବୋଲି ଚୌହାନ କହିଛନ୍ତି। ସେମାନେ ହିରୋ ଏବଂ ହିରୋଇନଙ୍କ ପାଇଁ ଆଇଆଇଏଫଏ ଭଳି କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଚୌହାନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର