ମେ ୪ ପରେ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ ସମୟସୀମାକୁ ମେ ୩ ପର୍ଯ୍ୟନ୍ତ ବଢାଇଦେବା ପରେ ବିଭିନ୍ନ ବିମାନସେବା କମ୍ପାନି ନିଜର ସେବାକୁ ସ୍ଥଗିତ ରଖିଛନ୍ତି । ପ୍ରମୁଖ ଘରୋଇ ଏୟାଲାଇନ୍ସ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ମେ ୪ ଠାରୁ ପର୍ଯ୍ୟାୟକ୍ରମେ ବିମାନସେବା ଆରମ୍ଭ କରାଯିବ । ପରବର୍ତ୍ତି ସମୟରେ ଅନ୍ତର୍ଜାତୀୟ ବିମାନଯାତ୍ରା ଗାଇଡାଇନ ଅନୁସାରେ ଧୀରେ ଧୀରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ମଧ୍ୟ ଆରମ୍ଭ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ମିଆଦକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବା ସଂପର୍କରେ ଘୋଷଣା କରିଥିଲେ । ଗତ ମାସରେ ଘୋଷିତ ୨୧ ଦିନିଆ ଲକଡାଉନ ଆଜି ମଧ୍ୟରାତ୍ରିରେ ଶେଷ ହେଉଥିଲା ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକଡାଉନ ଅବଧି ବଢାଯିବାର କିଛି ଘଣ୍ଟା ମଧ୍ୟରେ ଭାରତୀୟ ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଭାରତରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା । କେବଳ ମାଲବାହୀ ବିମାନ ଓ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ କେତେକ ସ୍ୱତନ୍ତ୍ର ବିମାନ ଚାଲୁ ରହିବ ।

ସୂଚନାଯୋଗ୍ୟ ଯେ, ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୮୧୫ରେ ପହଞ୍ଚିଛି । ଏହା ମଧ୍ୟରୁ ୯୨୭୨ଟି ସକ୍ରିୟ ମାମଲା ଥିବାବେଳେ ୩୫୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର