୫୮୦ ଟନ ଖାଦ୍ୟ ସାମଗ୍ରୀ ନେଇ ମାଳଦ୍ଵୀପରେ ପହଞ୍ଚିଲା ଆଇଏନଏସ କେଶରୀ

ମାଲେ: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ଏବେ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ନିଜର ବନ୍ଧୁ ରାଷ୍ଟ୍ର ମାଳଦ୍ଵୀପକୁ ସହଯୋଗର ହାତ ବଢ଼ାଇଛି ଭାରତ | ପାଖାପାଖି ୫୮୦ ଟନ ଖାଦ୍ୟ ସାମଗ୍ରୀ ସହ ମେଡିକାଲ ଉପକରଣ ନେଇ ମାଳଦ୍ଵୀପର ମାଲେରେ ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ କେଶରୀ ପହଂଚିଛି | ମିଶନ୍ ସାଗର’ ନାମକ ଏହି ଅପରେସନରେ ଏହି ଖାଦ୍ୟ ସାମଗ୍ରୀ ପହଞ୍ଚାଯାଇଥିବାବେଳେ ଆଇଏନଏସ କେଶରୀ ମରିସସ୍, ମାଡାଗାସ୍କର ଦେଶକୁ ମଧ୍ୟ ଔଷଧ ସାମଗ୍ରୀ ନେଇ ଯାଇଥିଲା |


ସୂଚନା ଥାଉ କି ମିଶନ ସାଗରର ଅର୍ଥ ହେଉଛି ଅଂଚଳର ସୁରକ୍ଷା ଓ ସମୃଦ୍ଧି ବୃଦ୍ଧି କରିବା | ପଡୋଶୀ ଦେଶ ସହ ଥିବା ସମ୍ପର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତ ସରକାର ଆରମ୍ଭ କରିଛନ୍ତି | ଏହା ପୂର୍ବରୁ ରବିବାର ଦିନ ମାଳଦ୍ଵୀପରେ ଫସିରହିଥିବା ଭାରତୀୟଙ୍କୁ ମୁକୁଳାଇବା ପାଇଁ ନୌସେନା ଜାହାଜ ‘ଆଇଏନଏସ ମଗର’ ମାଲେରେ ପହଞ୍ଚିଥିଲା |

ପ୍ରାୟ ୨୦୦ ପ୍ରବାସୀ ଭାରତୀୟ ନାଗରିକଙ୍କୁ ସେଠାରେ ଫେରାଇ ଅଣାଯାଇଥିଲା | “ଅପରେସନ୍ ସମୁଦ୍ର ସେତୁ” ନାମକ ଏକ ବୃହତ୍ ପ୍ରତ୍ୟାବର୍ତ୍ତନ ମିଶନ ଅଧୀନରେ ନୌସେନାର ଆମ୍ଫିବିୟସ୍ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଜଲସ୍ଵ’ ମଧ୍ୟ ଗତ ଗୁରୁବାର ଦିନ ମାଲଦ୍ୱୀପରେ ପହଞ୍ଚି ୬୯୮ ଜଣଙ୍କୁ ଧରି କୋଚିରେ ପହଞ୍ଚିଥିଲା |

ସମ୍ବନ୍ଧିତ ଖବର