ପୁଣି ପଚରାଉଚରା ପାଇଁ ସମନ ପଠାଇଲା ଦିଲ୍ଲୀ ପୁଲିସ, ଆସନ୍ତାକାଲି ହାଜର ହେବେ ଜାକଲିନ

ମୁମ୍ବାଇ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଅଛନ୍ତି। ତାଙ୍କ ସହ ସମ୍ପର୍କ ଥିବାରୁ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଦିଲ୍ଲୀ ପୁଲିସର ର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଜାକଲିନଙ୍କୁ ପଚରାଉଚରା କରିଥିବା ବେଳେ ଆସନ୍ତାକାଲି ମଧ୍ୟ ଜାକଲିନଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ଇଓଡବ୍ଲୁ। ସୋମବାର ସକାଳ ୧୧ଟାରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଓଡବ୍ଲୁରେ ହାଜର ହେବାକୁ କୁହାଯାଇଛି।

ତୃତୀୟ ଥର ସମନ ପଠାଯିବା ପରେ ବୁଧବାର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜ ଇଓଡବ୍ଲୁରେ ପହଞ୍ଚିଥିଲେ। ସେଦିନ ପ୍ରାୟ ଆଠ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ସହ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ମଧ୍ୟ ଥିଲେ, ଯାହାଙ୍କୁ କନମ୍ୟାନଙ୍କ ସହ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପରିଚିତ କରାଇବାର ଦାୟିତ୍ବ ଦିଆଯାଇଥିଲା। ଏଥିପାଇଁ ପିଙ୍କି କୋଟି କୋଟି ଟଙ୍କା ନେଇଥିଲେ।

ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ ୨୧୫ କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ କରିଥିଲା। ଏନେଇ ଇଓଡବ୍ଲୁ ପଚରାଉଚରା କରିବାକୁ ୨ଥର ଜାକ୍‌ଲିନଙ୍କୁ ସମନ ପଠାଯାଇଥିବା ବେଳେ ସେ ହାଜର ହୋଇନଥିଲେ। ୨ଥର ସମନ ପଠାଯାଇଥିବା ବେଳେ କାମ ଥିବା କହି ଜାକଲିନ ହାଜର ହୋଇନଥିଲେ। ହେଲେ ତୃତୀୟ ସମନ ପାଇବା ପରେ ସେ ଗତ ବୁଧବାର ଇଓଡବ୍ଲରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର