ବିରଳ କୀର୍ତ୍ତିମାନଠୁ ୭୩ ରନ୍‌ ଦୂରରେ ଜାଦେଜା

ଦୁବାଇ : ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ତାରକାମାନଙ୍କ ଲଢେଇ ଦେଖିବାକୁ ମିଳିବ। ତେଣୁ ପ୍ରତ୍ୟେକ ଖେଳାଳି ଏହି ମ୍ୟାଚ୍‌ରୁ ସେମାନଙ୍କ ଛାପ ଛାଡ଼ିବାକୁ ଉଦ୍ୟମ କରିବେ। ତେବେ ସିଏସ୍‌କେ ଦଳରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏକି ନିଜର ଏକ ବିରଳ କୀର୍ତ୍ତିମାନ କରିବା ଲକ୍ଷ୍ୟରେ ରହିଛନ୍ତି। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଇପିଏଲ୍‌ରେ ୨୦୦୦ ରନ୍‌ ପୂରଣ କରିବାଠୁ ଆଉ ୭୩ ଦୂରରେ ଅଛନ୍ତି। ଯଦି ସେ ଏହି ସଂଖ୍ୟାକୁ ଅତିକ୍ରମ କରନ୍ତି, ତାହେଲେ ଏକମାତ୍ର ଅଲରାଉଣ୍ଡର ଭାବେ ଆଇପିଏଲ୍‌ରେ ୨୦୦୦ ରନ୍‌ କରିବା ଓ ୧୦୦ ୱିକେଟ ନେବାର ବିରଳ କୀର୍ତ୍ତିମାନ ବହନ କରିବେ। ବର୍ତ୍ତମାନ ସୁଦ୍ଧା ଜାଦେଜା ୧୦୮ ୱିକେଟ ଅକ୍ତିଆର କରିସାରିଛନ୍ତି। ଯେଉଁଥିପାଇଁ ସର୍ବାଧିକ ୱିକେଟ୍‌ ଦଖଲକାରୀଙ୍କ ତାଲିକାରେ ସେ ଦଶମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ପୂରଣ କରିବା ପାଇଁ ଜ‌‌ାଦେଜାଙ୍କୁ ଏପରି କିଛି କରିବାକୁ ପଡ଼ିବ ଯାହା ସେ କେବେ ବି ଆଇପିଏଲ୍‌ରେ କରିପାରିନାହାନ୍ତି। ସେ ଏକମାତ୍ର ଖେଳାଳି ଭାବେ ବିନା କୌଣସି ଅର୍ଧଶତକରେ ୧୫୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାର କାରଣ ହେଉଛି ଯେ ସେ ପ୍ରାୟତଃ ନିମ୍ନକ୍ରମରେ ବ୍ୟାଟିଂ ପାଇଁ ଆସୁଛନ୍ତି ଏବଂ ଅଧିକ ବଲ୍‌ ସାମ୍ନା କରିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିନଥାଏ। ଦେହିଦୃଷ୍ଟିରୁ ଚଳିତ ସଂସ୍କରଣର ପ୍ରାରମ୍ଭିକ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ହାସଲ କରିବା ସମ୍ଭାବନା ବହୁତ କମ୍‌ ରହୁଛି। ତଥାପି ପ୍ରତିଯୋଗିତା ମଧ୍ୟରେ କେବେ ନା କେବେ ଏହି କୀର୍ତ୍ତିମାନ ସ୍ଥାପନ କରିପାରିବେ।

ଆଇପିଏଲ୍‌ରେ ଜାଦେଜା ରାଜସ୍ଥାନ ରୟାଲ ପକ୍ଷରୁ ଖେଳିବା ଆରମ୍ଭ କରି‌ଥିଲେ। ଏହି ଦଳ ପ୍ରଥମ ସଂସ୍କରଣରେ ବିଜେତା ହୋଇଥିଲା। ଏହାପରଠୁ ସେ ସିଏସ୍‌କେ ଦଳକୁ ଆସିବା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲେ ବି ଏବେ ସେ ଦଳର ପ୍ରମୁଖ ଖେଳାଳିଙ୍କ ତାଲିକାରେ ରହିପାରିଛନ୍ତି। ଏପରିକି ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ସେ କରିଥିବା ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳରେ ସ୍ଥାନ ପକ୍କା କରିପାରିଥିଲେ।

ସମ୍ବନ୍ଧିତ ଖବର