ନୂଆ ମନ୍ତ୍ରିମଣ୍ଡଳରେ ନାହାନ୍ତି ଜେଟ୍‌ଲି-ସୁଷମା

ସ୍ବାସ୍ଥ୍ୟଗତ କାରଣରୁ ସାମିଲ ହେଲେନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ଗ୍ରହଣ କରିଛନ୍ତି । ତେବେ ନୂଆ ସରକାରରେ ମୋଦୀଙ୍କ ପାଖରେ ଦୁଇ ଜଣ ପ୍ରମୁଖ ବ୍ୟକ୍ତିତ୍ବଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି। ମୋଦୀ ସରକାର-୧ରେ ଅର୍ଥ ମନ୍ତ୍ରୀ ରହିଥିବା ଅରୁଣ‌ ଜେଟ୍‌ଲି ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଏଥର ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ଅରୁଣ ଜେଟ୍‌ଲି ଅସୁସ୍ଥତା କାରଣରୁ ନୂଆ ସରକାରରୁ ଦୂରେଇ ଯାଇଥିବାବେଳେ ସୁଷମା ସ୍ବରାଜ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିନଥିଲେ। ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ଜେଟ୍‌ଲି ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ନିର୍ବାହ କରିଥିଲେ। ମୋଦୀ ସରକାରଙ୍କ ପ୍ରତ୍ୟେକଟି ସଙ୍କଟରେ ଜେଟ୍‌ଲି ସମ୍ମୁଖରେ ରହି ଦଳକୁ ସୁରକ୍ଷା ଦେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାରେ ମଧ୍ୟ ଜେଟ୍‌ଲିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ବିମୁଦ୍ରୀକରଣ, ଜିଏସ୍‌ଟି, ରାଫେଲ୍‌ ଚୁକ୍ତିକୁ ନେଇ ମୋଦୀ ସରକାର ବିରୋଧରେ ଆସୁଥିବା ପ୍ରତ୍ୟେଟି ସଙ୍କଟକୁ ଜେଟ୍‌ଲି ସହଜରେ ମୁକାବିଲା କରିବାକୁ ସକ୍ଷମ ହୋଇଥିଲେ।

ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ମୋଦୀ ସରକାରରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିଥିଲେ। ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସେ ୯୦ରୁ ଅଧିକ ଦେଶ ଗସ୍ତ କରିଛନ୍ତି। ବିଭିନ୍ନ ଦେଶ ସହ ମୋଦୀ କରିଥିବା ଦ୍ବିପାକ୍ଷିକ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଭିତ୍ତିଭୂମି ସୁଷମା ପ୍ରସ୍ତୁତ କରିଥାନ୍ତି। ବିଦେଶରେ ଯେ କୌଣସି ଭାରତୀୟ ସମସ୍ୟାର ସମ୍ମୁଖୀନ ହେଲେ ସୁଷମା‌ ସହଯୋଗର ହାତ ବଢ଼ାଉଥିଲେ। ବିଦେଶରେ ଥିବା ଭାରତୀୟଙ୍କ ସମସ୍ୟା ସମାଧାନ ପାଇଁ ସେ ବ୍ୟକ୍ତିଗତ ସ୍ତର‌ରେ ଆଗ୍ରହ ପ୍ରକାଶ କରି ସବୁ ମହଲରେ ପ୍ରଶଂସିତ ହୋଇଥିଲେ।

ସମ୍ବନ୍ଧିତ ଖବର