ଚିନ୍ତାରେ ଆରଏସଏସ ଓ ବିଜେପି, ୨୦୨୪ରେ ହାରିବାର ଭୟ ପାଇଁ ମନ୍ଦିର-ମସଜିଦ ଯାଉଛନ୍ତି ଶାହ-ଭାଗବତ: ଜେଡିୟୁ ନେତା

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମନ୍ଦିର ପରିଦର୍ଶନ କରୁଥିବା ଦେଖାଯାଇଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭାଗବତ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଥିଲେ। ଏହାକୁ ନେଇ ଆଜି ଜେଡିୟୁ ନେତା ତଥା ବିହାର ସରକାରରେ ଅର୍ଥମନ୍ତ୍ରୀ ଥିବା ବିଜୟ ଚୌଧୁରୀ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ‌ାର୍ଗେଟ କରିଛନ୍ତି। ଏଭଳି ମନ୍ଦିର ଓ ମସଜିଦ ଯିବାକୁ ନେଇ ବିଜୟ ଚୌଧୁରୀ କହିଛନ୍ତି ଯେ ୨୦୨୪ରେ ହାରିବାର ଭୟ ଆରଏସଏସ ଏବଂ ବିଜେପିକୁ ହନ୍ତସନ୍ତ କରୁଛି। ଏହି କାରଣରୁ ମନ୍ଦିର ମସଜିଦ ପରିଦର୍ଶନ ବୃଦ୍ଧି ପାଇଛି ଏବଂ ଆଗକୁ ଏହା ଆହୁରି ବୃଦ୍ଧି ପାଇବ।

ପାଟନାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ବିଜୟ ଚୌଧୁରୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ। ସିମାଞ୍ଚଳର ପୂର୍ଣ୍ଣିୟା ଏବଂ କିଶନଗଞ୍ଜର ବିଜେପିର କାର୍ଯ୍ୟକ୍ରମକୁ ନେଇ ବିଜୟ ଚୌଧରୀ କହିଥିଲେ ଯେ ଅମିତ ଶାହା ଦେଶର ଗୃହମନ୍ତ୍ରୀ, କିନ୍ତୁ ପୁରା କାର୍ଯ୍ୟକ୍ରମରେ ତାଙ୍କ ଭାଷା କେବଳ ବିଜେପି ନେତାଙ୍କ ଭାଷା ଥିଲା। ଅମିତ ଶାହା ଦେଶର ଗୃହମନ୍ତ୍ରୀ ଭାବରେ କିଛି କହୁ ନଥିଲେ। ପୂରା କାର୍ଯ୍ୟକ୍ରମରେ ବିହାରରେ କ୍ଷମତା ହରାଇବା ପରେ ଅମିତ ଶାହା ଅଶାନ୍ତ ହୋଇପଡ଼ିଥିବା ନେତାଙ୍କ ଭଳି କଥା କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୪ରେ ବିଜେପି ହାରିବ ବୋଲି ହୃଦୟଙ୍ଗମ କରିସାରିଛି। ଏହି କାରଣରୁ ଅମିତ ଶାହା କିଶନଗଞ୍ଜର ମନ୍ଦିରକୁ ପୂଜା କରିବାକୁ ଯାଉଛନ୍ତି ଓ ମୋହନ ଭାଗବତ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟୁଛନ୍ତି। ଆସନ୍ତା ନିର୍ବାଚନ ହେତୁ ଏସବୁ କରାଯାଉଛି। ଅନ୍ୟପକ୍ଷରେ ବିଜେପି ସଂଖ୍ୟାଲଘୁଙ୍କ ବିରୋଧରେ କାର୍ଯ୍ୟ କରୁଛି। ଭାରତର ସ୍ବାଧୀନତା ଇତିହାସରେ ସଂଖ୍ୟାଲଘୁଙ୍କ ଅବଦାନକୁ ହଟାଇବା ପାଇଁ ଷଡଯନ୍ତ୍ର ଚାଲିଛି। କାରଣ ଆରଏସଏସ ବା ବିଜେପିର ଲୋକମାନେ ସ୍ୱାଧୀନତା ସଂଗ୍ରାମରେ ସାମିଲ ନଥିଲେ।

ସମ୍ବନ୍ଧିତ ଖବର