ଜେଏନ୍‌ୟୁରେ ଛାତ୍ର ଆତ୍ମହତ୍ୟା

ପ୍ରଫେସରଙ୍କ ପାଖକୁ ମେଲ୍‌ କଲେ ସୁଇସାଇଡ୍‌ ନୋଟ୍‌

ନୂଆଦିଲ୍ଲୀ : ଏକ ଅଭାବନୀୟ ଘଟଣାକ୍ରମରେ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଆଜି ବିଶ୍ବବିଦ୍ୟାଳୟ ପରିସରରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଏହି ଛାତ୍ର ହେଉଛନ୍ତି ରିଶି ଜୋଶୁଆ ଥୋମାସ୍‌। ସେ ଏମ୍‌ଏ ଦ୍ବିତୀୟ ବର୍ଷର ଛାତ୍ର। ବିଶ୍ବବିଦ୍ୟାଳୟର ଲାଇବ୍ରେରି ପରିସରରେ ସେ ଏକ ସିଲିଂ ଫ୍ୟାନ୍‌ରେ ତାର ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ରିଶିଙ୍କ ଆତ୍ମହତ୍ୟାର କାରଣ କ’ଣ ସ୍ପଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ସେ ଆତ୍ମହତ୍ୟା ଭଳି ଚରମ ପଦ‌କ୍ଷେପ ଗ୍ରହଣ କରିବା ପୂର୍ବରୁ ତାଙ୍କର ଜଣେ ପ୍ରଫେସରଙ୍କ ନିକଟକୁ ସୁଇସାଇଡ୍‌ ନୋଟ୍‌ ମେଲ୍‌ କରିଥିଲେ। କିନ୍ତୁ ପ୍ରଫେସର ଏହି ମେଲ୍‌ ପାଇ ସଙ୍ଗେସଙ୍ଗେ ପୁଲିସରେ ଅବଗତ କରିଥିଲେ ଏବଂ ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟ ପରିସରରେ ରିଶିଙ୍କୁ ଖୋଜାଯିବା ସମୟରେ ଲାଇବ୍ରେରୀରୁ ରିଶିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରିଶିଙ୍କ ସାଙ୍ଗମାନେ ପୁଲିସରେ ଜଣାଇଛନ୍ତି ଯେ ରିଶି ଦୁଇଦିନ ହେବ କୁଆଡ଼େ ନିଖୋଜ ହୋଇ ଯାଇଥିଲେ। ‌ତେବେ ସେ ଘୋର ମାନସିକ ଚାପରେ ଥିଲେ ଏବଂ ଅନେକ ଦିନ ଧରି ଚିକିତ୍ସ‌ାଧୀନ ଥି‌ଲେ। ଅବସାଦ ହେତୁ ରିଶି ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର