କର୍ଣ୍ଣାଟକ ନିର୍ବାଚନ-୨୦୨୩: ବିଜେପି-କଂଗ୍ରେସ ଭିତରେ ହେବ କଡ଼ା ମୁକାବିଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ୧୩ ତାରିଖରେ ଗଣତି ହୋଇ ଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ବିଜେପି ଓ କଂଗ୍ରେସ ଭିତରେ କଡ଼ା ମୁକାବିଲା ହେବ ବୋଲି ନିର୍ବାଚନ ବିଶାରଦମାନେ ଆକଳନ କରିଛନ୍ତି। ଚଳିତ ନିର୍ବାଚନରେ ମୋଟ ୨୨୪ଟି ଆସନ ମଧ୍ୟରୁ ବିଜେପି ଅତି କମ୍‌ରେ ୧୫୦ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଦାବି କରିଛନ୍ତି, ସେ ନିଶ୍ଚୟ ଜିତି ପୁନଶ୍ଚ ମୁଖ୍ୟମନ୍ତ୍ରୀ ହେବେ। ବର୍ତ୍ତମାନ ବିଜେପିର ୧୧୯, କଂଗ୍ରେସର ୭୫ ଓ ଜେଡିଏସ୍‌ର ୨୮ ଜଣ ବିଧାୟକ ଅଛନ୍ତି।

ରାହୁଲ ଗାନ୍ଧି ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷଣା ପରେ ପ୍ରଥମ ନିର୍ବାଚନ କର୍ଣ୍ଣାଟକରେ ହେଉଛି। ଏହାକୁ ନେଇ ସର୍ବପୁରାତନ ଦଳ ସଂସଦରୁ ସଡ଼କ ଯାଏ ପ୍ରତିବାଦ ଆନ୍ଦୋଳନ ଚଳାଇଛି। ଯେଉଁ କୋଲାର ଜିଲ୍ଲାରେ ରାହୁଲ ଗାନ୍ଧି ୨୦୧୯ରେ ମୋଦି ଉପନାମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଆଜି ସୁରଟ କୋର୍ଟ ଦ୍ବାରା ଦଣ୍ଡିତ ଓ ଲୋକସଭା ସଚିବାଳୟ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଛନ୍ତି, ସେହିଠାରୁ ସେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିବେ।

ତେବେ ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଦଳର ଲୋକପ୍ରିୟତା ତଥା ପୂର୍ବରୁ ଅନେକ ନିର୍ବାଚନରେ ହାରିଥିବା କଂଗ୍ରେସର ନିର୍ବାଚନୀ ରଣନୀତିର ପରଖ ହେବ। କର୍ଣ୍ଣାଟକ ପରେ ଚଳିତବର୍ଷ ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ହେବ। ଜମ୍ମୁ-କାଶ୍ମୀରରେ ବି ନିର୍ବାଚନ ହୋଇପାରେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହିସବୁ ନିର୍ବାଚନରୁ ମିଳୁଥିବା ଜନମତରୁ ଲୋକଙ୍କ ମତିଗତି କେଉଁ ଆଡ଼କୁ ଯାଉଛି ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର