କର୍ଣ୍ଣାଟକରେ ଦେଶର ସର୍ବାଧିକ ସକ୍ରିୟ କରୋନା ରୋଗୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିଚାଲିଛି। ବୁଧବାର କର୍ଣ୍ଣାଟକରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୯୨,୧୮୨ରେ ପହଞ୍ଚିଛି। ଫଳରେ ସକ୍ରିୟ କରୋନା ରୋଗୀ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସବା ଉପରେ ରହିଛି। କର୍ଣ୍ଣାଟକ ତଳକୁ ମହାରାଷ୍ଟ୍ର ଦ୍ବିତୀୟ ସ୍ଥାନ‌ରେ ରହିଛି। ମହାରାଷ୍ଟ୍ରରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫୪୬୧୨୯ ରହିଛି। କର୍ଣ୍ଣାଟକରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଯେଉଁ ସ୍ତରରେ ରହିଛି ଏହାଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତର ଚାପ ସୃଷ୍ଟି ହୋଇଛି। ଏଥିସହିତ ପଡ଼ୋଶୀ ମହାରାଷ୍ଟ୍ରରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ଏବଂ ଆରୋଗ୍ୟଙ୍କ ସଂଖ୍ୟା ବଢ଼ିବା ଦ୍ବାରା ଏଠାରେ ସ୍ଥିତିରେ କିଛିଟା ସୁଧାର ଆସିଛି।

ମହାରାଷ୍ଟ୍ରରେ ଗତ ଏପ୍ରିଲ ୨୨ ତାରିଖରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ସର୍ବାଧିକ ୬,୯୯,୮୫୮ ରହିଥିଲା। କିନ୍ତୁ ଏଠାରେ ଦୈନିକ ନୂଆ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଏବେ ଅଧିକ ରହୁଥିବାରୁ ଏହି ରାଜ୍ୟର ସ୍ଥିତି ବଦଳିଛି। କିନ୍ତୁ ଅନ୍ୟପକ୍ଷରେ କର୍ଣ୍ଣାଟକରେ ବୁଧବାର ୩୯,୯୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ କ୍ଷେତ୍ରରେ ବୁଧବାର ମହାରା‌ଷ୍ଟ୍ର ଏବଂ କେରଳ ପଛକୁ କର୍ଣ୍ଣାଟକ ରହିଛି। ମହାରାଷ୍ଟ୍ରରେ ୪୬,୭୮୧ ଜଣ ଏବଂ କେରଳରେ ୪୩,୫୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁରେ ୧୬,୨୮୬ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ଅନ୍ୟ ୮ଟି ଜିଲ୍ଲାରେ ସଂକ୍ରମଣ ୧୦୦୦ ଉପରେ ରହିଛି। କର୍ଣ୍ଣାଟକରେ ବୁଧବାର ୫୧୭ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯାଇଛି। ରାଜ୍ୟରେ ବୁଧବାର ୧.୩ ଲକ୍ଷ ଟେଷ୍ଟ ହୋଇଥିବାବେଳେ ପଜିଟିଭ ହାର ୨୯.୬ ପ୍ରତିଶତ ରହିଛି। କର୍ଣ୍ଣାଟକ ସରକାରଙ୍କ ବୈଷୟିକ ଉପଦେଷ୍ଟା କମିଟି କହିଛି ଯେ, ମେ ମାସ ଶେଷ ସୁଦ୍ଧା ରାଜ୍ୟର ସଂକ୍ରମଣ ହ୍ରାସ ପାଇବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର