କର୍ଣ୍ଣାଟକୀ କିନ୍ନର ନର୍ତ୍ତକ ମଞ୍ଜମ୍ମାଙ୍କ ଦୀର୍ଘଯାତ୍ରା, ଭିକାରିରୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର କିନ୍ନର ନର୍ତ୍ତକ ମଞ୍ଜମ୍ମା ଜୋଗତୀ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ମଙ୍ଗଳ ଓ ସୌଭାଗ୍ୟ କାମନା କରି ତାଙ୍କ ଶାଢ଼ିର ଅଞ୍ଚଳକୁ ନେଇ ଏକ ଭଙ୍ଗୀ ଉପସ୍ଥାପନ କରିଥିଲେ, ଯାହା ପରେ ଭାଇରାଲ ହୋଇଥିଲା।
ପୁରସ୍କାର ଗ୍ରହଣ ସମୟରେ ମଞ୍ଜମ୍ମାଙ୍କ ମୁହଁରେ ପ୍ରକାଶ ପାଉଥିବା ମୁଚୁକୁନ୍ଦ ହସ ଓ ପ୍ରାଣବନ୍ତ ବ୍ୟକ୍ତିତ୍ବ ପଛରେ ରହିଛି ତାଙ୍କ ଦୁର୍ଗମ ଜୀବନଯାତ୍ରାପଥର ସଂଘର୍ଷପୂର୍ଣ୍ଣ କାହାଣୀ। ଜୀବନରେ ସେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ଏପରି କି ବର୍ତ୍ତମାନ ବି ତାଙ୍କ କିନ୍ନର ପରିଚୟକୁ ନେଇ ଅନେକେ ହୀନଦୃଷ୍ଟିରେ ଦେଖୁଥିବା ବେଳେ ସେ କିନ୍ତୁ ତାଙ୍କର ବାସ୍ତବ ପରିଚୟକୁ ବହୁଦିନ ତଳୁ ସ୍ବାଗତ କରିନେଇଛନ୍ତି।

ମଞ୍ଜମ୍ମା କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ମଞ୍ଜୁନାଥ ଶେଟ୍ଟୀ ଭାବେ ଜନ୍ମଗ୍ରହଣ କରିଥିଲେ। ସେ ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ୧୫ ବର୍ଷ ବୟସରେ ସେ ନିଜକୁ ଜଣେ ନାରୀ ଭାବେ ଚିହ୍ନିବାକୁ ଆରମ୍ଭ କଲେ। ଜଣେ ଦେବୀ ବା ଦେବତାଙ୍କୁ ବିବାହ କରିବା ପାଇଁ ତାଙ୍କ ବାପାମାଆ ଏକ ହୋମଯଜ୍ଞ (ଯୋଗପ୍ପା)ର ଆୟୋଜନ କରିଥିଲେ। ସେତେବେଳେ ତାଙ୍କ ପରିଚୟ ମଞ୍ଜୁନାଥ ଶେଟ୍ଟୀରୁ ମଞ୍ଜମ୍ମା ଜୋଗତୀକୁ ପରିବର୍ତ୍ତିତ ହୋଇଗଲା। ମଞ୍ଜମ୍ମା ଭାବେ ତାଙ୍କୁ କିନ୍ତୁ ଘର ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିଲା ନାହିଁ। କିନ୍ତୁ ସବୁ ପରିସ୍ଥିତିକୁ ସାମନା କରିବା ପାଇଁ ସଦା ପ୍ରସ୍ତୁତ ମଞ୍ଜମ୍ମା ଏକ ଶାଢ଼ି ପିନ୍ଧି ରାସ୍ତା ଉପରକୁ ବାହାରିଗଲେ। ଭିକ୍ଷା କରି ଜୀବିକା ନିର୍ବାହ କଲେ। ତା’ ଭିତରେ ତାଙ୍କୁ ଯୌନ ନିର୍ଯାତନାର ବି ଶିକାର ହେବାକୁ ପଡ଼ିଛି। ଏହାପରେ ଆତ୍ମହତ୍ୟା କରିବାକୁ ବି ମନସ୍ଥ କରିନେଇଥିଲେ। କିନ୍ତୁ ସବୁ ରାତି ପରେ ଦିନ ଆସିବା ପରି ଜଣେ ବାପା ଓ ତାଙ୍କ ପୁଅ ଦୁହେଁ ତାଙ୍କୁ ନୃତ୍ୟ ଶିକ୍ଷା ଦେବାକୁ ଆରମ୍ଭ କଲେ। ତାଙ୍କୁ ବଞ୍ଚିବା ପାଇଁ ଏକ ନୂଆ ରାହା ମିଳିଗଲା। ସେ ମଧ୍ୟ କର୍ଣ୍ଣାଟକ ସରକାରଙ୍କ ନୃତ୍ୟକଳା ପ୍ରତିଷ୍ଠାନ କର୍ଣ୍ଣାଟକ ଜାନପଦ ଏକାଡେମୀର ପ୍ରଥମ କିନ୍ନର ସଭାପତି ହୋଇଥିଲେ।

ସମ୍ବନ୍ଧିତ ଖବର