କଠୁଆ ଗଣଦୁଷ୍କର୍ମ ମାମଲା: ବିଚାର ପ୍ରକ୍ରିୟାକୁ କାହିଁକି ଅନ୍ୟ ରାଜ୍ୟ କୋର୍ଟକୁ ସ୍ଥାନାନ୍ତର କରା ନଯିବ? ଜମ୍ମୁ କଶ୍ମୀର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମ୍‌ କୋର୍ଟ

ପୀଡ଼ିତାଙ୍କ ପରିବାର ଓ ତାଙ୍କ ଆଇନଜୀବୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା କଠୁଆ ନାବାଳିକା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାରପ୍ରକ୍ରିୟାକୁ କାହିଁକି ଜମ୍ମୁ କଶ୍ମୀର କୋର୍ଟରୁ ଅନ୍ୟ ରାଜ୍ୟର କୋର୍ଟକୁ ସ୍ଥାନାନ୍ତର କରା ନଯିବ, ସେସଂପର୍କରେ ଆସନ୍ତା ଅପ୍ରେଲ ୨୭ ତାରିଖ ସୁଦ୍ଧା ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇବା ପାଇଁ ସୋମବାର ଜମ୍ମୁ କଶ୍ମୀର ସରକାରଙ୍କ ଉପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସୁପ୍ରମ୍‌ କୋର୍ଟ। ଏଥିସହ ପୀଡ଼ିତାଙ୍କ ପରିବାର ସମେତ ତାଙ୍କୁ ଆଇନ୍‌ ସହାୟତା ଯୋଗାଇ ଦେଉଥିବା ସମସ୍ତ ଆଇନଜୀବୀ ଓ ସେମାନଙ୍କ ପରିବାରକୁ ମଧ୍ୟ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ଜମ୍ମୁ କଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅପ୍ରେଲ ୨୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କଠୁଆ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଏହି ମାମଲାର ବିଚାର ପ୍ରକ୍ରିୟା ଜମ୍ମୁ କଶ୍ମୀରରେ ନହୋଇ ଚଣ୍ଡୀଗଡ଼ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ଆଜି ସୁପ୍ରିମ୍‌ କୋର୍ଟରେ ଏହି ମାମଲାର ଶୁଣାଣି କାଳରେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂହ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି, ସେଥିରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ନେଇ ସମସ୍ୟା ଓ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସମଗ୍ର ବ୍ୟବସ୍ଥା ଏବେ ବହୁଧା ବିଭକ୍ତ ହୋଇପଡ଼ିଛି। ପୀଡ଼ିତାଙ୍କ ଓକିଲ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଜମ୍ମୁ ବାର୍‌ ଆସୋସିଏସନ୍‌ର ଆଇନଜୀବୀମାନେ କଠୁଆ ଦୁଷ୍କର୍ମ ମାମଲାରେ ଜମ୍ମୁ କଶ୍ମୀର ପୁଲିସ ଓ କ୍ରାଇମବ୍ରାଞ୍ଚ୍‌ ଦାଖଲ କରିଥିବା ଚାର୍ଜସିଟ୍‌କୁ ବିରୋଧ କରୁଥିବାରୁ ଏହି ମାମଲାରେ ବିଚାର ପ୍ରକ୍ରିୟା ଆଗକୁ ଯିିବାରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ମାମଲାର ସଠିକ୍‌ ବିଚାର, ଶାନ୍ତିପୂର୍ଣ୍ଣ ଭାବେ ହେବ କି ନାହିଁ ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ, ଏହି ମାମଲାର ବିଚାର ପ୍ରକ୍ରିୟାକୁ ଚଣ୍ଡୀଗଡ଼ କିମ୍ବା ଅନ୍ୟ କୌଣସି ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମ କୋର୍ଟର ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ଉପସ୍ଥାପିତ କରିଥିଲେ।

ସମ୍ବନ୍ଧିତ ଖବର