ଅମାନବୀୟ ବର୍ବରତା : ସପୁରୀରେ ବାଣ ଦେଇ ଗର୍ଭିଣୀ ହାତୀକୁ ହତ୍ୟା

ବିସ୍ଫୋରଣରେ ଜିଭ ଛିଡ଼ିଗଲା, ଚାରିଦିନ କାଳ ଖାଇପାରିଲାନି
ଯନ୍ତ୍ରଣା ସହି ନ ପାରି ନଦୀରେ ପଶିଥିଲା, ମୃତ ଅବସ୍ଥାରେ ଉଦ୍ଧାର
ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା; କଠୋର ଦଣ୍ଡ ଦେବାକୁ ଦାବି

ତିରୁଅନନ୍ତପୁରମ୍ : ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ମେ’ ୨୭ ତାରିଖରେ କେରଳରେ ଘଟିଥିବା ଏହି ହାତୀମୃତ୍ୟୁ ଘଟଣା ଆଜି ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବର ଉତ୍ତୋଳନ କରିଛନ୍ତି।

ମେ’ ୨୩ ତାରିଖ ଦିନ ହାତୀଟି ଖାଦ୍ୟ ଅନ୍ୱେଷଣରେ କେରଳର ପାଲକଡ଼ ଜିଲ୍ଲାର ଏକ ଗ୍ରାମ ଭିତରକୁ ପଶିଆସିଥିଲା ବେଳେ କିଛି ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ଏଭଳି ଭୟାନକ ଭାବନା ପଶିଥିଲା। ସେମାନେ ସପୁରୀରେ ବାଣ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇଥିଲେ। ଆଉ ହାତୀ ଏହି ସପୁରୀଟିକୁ ଖାଇବା ପରେ ପ୍ରଚଣ୍ଡ ଶବ୍ଦ କରି ବାଣଟି ଫାଟିଯିବାରୁ ମୁହଁର ଏକ ବଡ଼ ଅଂଶ ଜଳିଯିବା ସହ କ୍ଷତବିକ୍ଷତ ହୋଇ ଯାଇଥିଲା। ଏହାପରେ ହାତୀଟି ଅସହ୍ୟ ଯନ୍ତ୍ରଣାରେ ଘୂରି ବୁଲିଥିଲା। ତା’ର ଜିଭ ଛିଡ଼ିଯିବାରୁ ଚାରିଦିନ କାଳ ସେ କିଛି ଖାଇ ପାରି ନ ଥିଲା। ସେ ଛଟପଟ ହୋଇ ଦୌଡୁଥିବା ବେଳେ ମଧ୍ୟ କାହାର କିଛି କ୍ଷତି କରି ନଥିଲା। ବରଂ ଯନ୍ତ୍ରଣାର ଉପସମ ପାଇଁ ନିକଟସ୍ଥ ଭେଲିୟାର ନଦୀରେ ପଶିଯାଇଥିଲା। ତାକୁ ଉଦ୍ଧାର କରିବାକୁ ବନ ଅଧିକାରୀ ନୀଳକଣ୍ଠନ୍‌ ଓ ସୁରେନ୍ଦ୍ରନ୍‌ ନାମକ ଦୁଇଟି ପ୍ରଶିକ୍ଷିତ ହାତୀକୁ ସେଇ ନଦୀକୁ ଆାଣିଥିଲେ। କିନ୍ତୁ ସେଇ ଗର୍ଭିଣୀ ହାତୀଟିକୁ ସେମାନେ ଉଦ୍ଧାର କଲା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ସେତେବେଳେ ଯାଇ ଜଣା ପଡ଼ିଥିଲା ଯେ ହାତୀଟି ଗର୍ଭବତୀ ଥିଲା। ତେଣୁ ଏହି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଥିଲା।

ମୋହନ କ୍ରିଷ୍ଣନ୍‌ ନାମକ ମାଲାପୁରମ୍‌ ଜିଲ୍ଲାର ଜଣେ ବନ ଅଧିକାରୀ ଏହି ଖବରକୁ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଘଟ କରିବା ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଦିନତମାମ ଟ୍ବିଟର, ଫେସ୍‌ବୁକ୍ ଓ ହ୍ବାଟ୍‌ସଆପ୍ ଆଦି ସାମାଜିକ ଗଣମାଧ୍ୟମରେ ଗର୍ଭିଣୀ ହାତୀଟି ପ୍ରତି କିଛି ଲୋକଙ୍କ ଏଭଳି କ୍ରୂରତାକୁ ତୀବ୍ର ‌ସମାଲୋଚନା କରିବା ସହ ସେମାନଙ୍କ ବିରୋଧରେ କେରଳ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ। ବିଭିନ୍ନ ଇଲେକଟ୍ରୋନିକ ଗଣମାଧ୍ୟମରେ ମଧ୍ୟ ଆଜି ଏହା ପ୍ରମୁଖ ଖବର ପାଲଟିଥିଲା।

ସମ୍ବନ୍ଧିତ ଖବର