କେରଳ ନନ୍‌ ଦୁଷ୍କର୍ମ ମାମଲା: ଗିରଫ ହେଲେ ବିସପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌

ଥିରୁବନନ୍ତପୁରମ୍‌ : କେରଳ ନନ୍‌ ଦୁଷ୍କର୍ମ ମାମଲାରେ ଆଜି ବିସପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ ଗିରଫ ହୋଇଛନ୍ତି। ଆଜି ଅପରାହ୍ନରେ କୋଚିରେ ବିସପ୍‌ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତ ତିନି ଦିନ ହେବ ତାଙ୍କୁ କେରଳ ପୁଲିସ ଜେରା ଚଳାଇଥିଲା। ଏ ବାବଦରେ କେତେକ ପ୍ରମାଣକୁ ଆଧାର କରି ଆଜି ପୁଲିସ ବିସପ୍‌ଙ୍କୁ ଗିରଫ କରିଛି। ବିସପ୍‌ ମୁଲାକ୍କାଲ୍‌ ପ୍ରଥମ ଭାରତୀୟ କ୍ୟାଥୋଲିକ୍‌ ବିସପ୍‌ ଭାବେ ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି। ବିସପ୍‌ଙ୍କୁ ଗିରଫ କରିବା ପୂର୍ବରୁ ମଧ୍ୟ ପୁଲିସ ନନ୍‌ଙ୍କ ସଦ୍ୟ ବୟାନ ରେକର୍ଡ କରିଛି। ବିସପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ ଉକ୍ତ ୪୫ ବର୍ଷୀୟା ନନ୍‌ଙ୍କୁ ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ୧୩ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିସପ୍‌ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ପୁଲିସ ପାଖରେ ସଫେଇ ଦେଇଥିଲେ ମଧ୍ୟ ସେ ଅନେକ ମିଛ କହିଥିବା ତଦନ୍ତରୁ ଧରାପଡ଼ିଥିଲା। ନନ୍‌ଙ୍କୁ ମେ’ ୫, ୨୦୧୪ ମସିହାରେ କୁରାଭିଲଙ୍ଗଡ଼୍‍ କନଭେଣ୍ଟ୍‌ରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କିନ୍ତୁ ବିସପ୍‌ କହିଥଲେ ସେ ସେଦିନ କନ୍‌ଭେଣ୍ଟ୍‌ରେ ଅନୁପସ୍ଥିତ ଥିଲେ। ହେଲେ କନଭେଣ୍ଟ୍‌ ରେଜିଷ୍ଟର୍‌ରୁ ସ୍ପଷ୍ଟ ହୋଇଥିଲା ଯେ ବିସପ୍‌ ସେଦିନ କନଭେଣ୍ଟ୍‌ରେ ଥିଲେ। ବିସପ୍‌ ନିଜକୁ ନିର୍ଦ୍ଦୋଷ ପ୍ରତିପାଦିତ କରିବାପାଇଁ ପୁଲିସକୁ ଅନେକ ମିଛ କହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଦୁଷ୍କର୍ମ ମାମଲାରେ ବିସପ୍‌ଙ୍କ ବିରୋଧରେ ଗତ ଜୁନ୍‌ ୨୭ ତାରିଖରେ ପୀଡ଼ିତା ନନ୍‌ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ସେପ୍ଟେମ୍ବର ୮ ତାରିଖରେ ନନ୍‌ମାନେ ନ୍ୟାୟ ଦାବି କରି ବିସପ୍‌ଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର