କୃଷକ ମହାପଞ୍ଚାୟତରେ ଗର୍ଜିଲେ ଚାଷୀ

ଗାଜିପୁରରେ ପୁଣି ବିଶାଳ ଧାରଣା କାର୍ଯ୍ୟକ୍ରମ
ଆନ୍ଦୋଳନକୁ ଅକାଳୀ ଦଳ, ଏସ୍‌ପି, ବିଏସ୍‌ପି ଏବଂ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଜାଫରନଗରରେ ଶୁକ୍ରବାର ଅପରାହ୍ନରେ କୃଷକ ମହାପଂଚାୟତ ଅନୁଷ୍ଠିତ ହୋଇଛି। ୧୦ ହଜାରରୁ ଅଧିକ ଚାଷୀ ଏହି ସମାବେଶରେ ଯୋଗଦେଇଥିବା ବେଳେ ଚାଷୀ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଘୋଷଣା କରାଯାଇଛି। ଆନ୍ଦୋଳନକୁ ଆଜି ସମାଜବାଦୀ ପାର୍ଟି,ବହୁଜନ ସମାଜ ପାର୍ଟି, ଅକାଳୀ ଦଳ ଏବଂ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି। ପୁଲିସ ଦିଲ୍ଲୀ-ୟୁପି ସୀମାରୁ ଆନ୍ଦୋଳନରତ ଚାଷୀଙ୍କୁ ବଳପୂର୍ବକ ହଟାଇବା ପାଇଁ ପଦକ୍ଷେପ ନେଇଥିବାରୁ ଏହାକୁ ଚାଷୀ ନେତାମାନେ ଜୋର୍‌ଦାର ବିରୋଧ କରିଛନ୍ତି। ସମାବେଶରେ ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀ ଯୋଗଦେଇ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ଆମ୍‌ ଆଦ୍‌ମି ପାର୍ଟି ସାଂସଦ ସଂଜୟ ସିଂହ ମଧ୍ୟ ଏହି ସମାବେଶରେ ସାମିଲ ହୋଇ ଚାଷୀ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ଗାଜିପୁର ସୀମାରେ ପୁଲିସ ପ୍ରଶାସନ ବର୍ବରତା ଦେଖାଇଛି ଏବଂ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ ବୋଲି ଚାଷୀ ନେତା ନରେଶ ଟିକାୟତ ସମାବେଶରେ ଘୋଷଣା କରିଛନ୍ତି।

ଆଜି ଆନ୍ଦୋଳନକୁ ନେଇ ବଡ଼ ନିଷ୍ପତ୍ତି ନିଆଯିବ ଏବଂ ଚାଷୀଙ୍କ ବିରୋଧରେ ସରକାରଙ୍କ ଦମନ ନୀତିର ପ୍ରତିବାଦ କରାଯିବ ବୋଲି ଟିକାୟତ କହିଛନ୍ତି। ଚାଷୀ ଆନ୍ଦୋଳନ ଯୋଗୁଁ ଆଜି ଦିଲ୍ଲୀ-ଗାଜିଆବାଦ ଜାତୀୟ ରାଜପଥ ୨୪ ବନ୍ଦ ହୋଇଯିବାରୁ ଯାତାୟତକୁ ନେଇ ଜଟିଳ ସମସ୍ୟା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର