ଲଖିମପୁର ହିଂସା ନେଇ ଆଲୋଡ଼ନ: ଅତି ଅମାନବୀୟ ଓ ନିଷ୍ଠୁର କାର୍ଯ୍ୟ

ବିରୋଧୀ ଦଳ ନେତାଙ୍କ ନିନ୍ଦା, ଜୋରଦାର ପ୍ରତିବାଦ ହେବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁରରେ ଆଜି ଚାଷୀ ଆନ୍ଦୋଳନ ସମୟରେ ଘଟିଥିବା ହିଂସା ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଜାଣିଶୁଣି ଆନ୍ଦୋଳନରତ ଚାଷୀଙ୍କ ଉପରେ କାର୍‌ ଚଢ଼ାଇ ଦେଇଥିବା ଅଭିଯୋଗ ନେଇ ତମ୍ବି ତୋଫାନ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଯେଉଁମାନେ ଏଭଳି ନରସଂହାର ଦେଖି ନିରବ ଅଛନ୍ତି ସେମାନେ ପୂର୍ବରୁ ମଧ୍ୟ ମରିଯାଇଛନ୍ତି। ଆମେ ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ। ‘କିଷାନ ସତ୍ୟାଗ୍ରହ ଜିନ୍ଦାବାଦ୍‌’ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ଟ୍ବିଟ୍‌ କରି କହିଛନ୍ତି ଯେ ବିଜେପି ଦେଶର ଚାଷୀଙ୍କୁ କେତେ ଘୃଣା କରୁଛି ତାହା ଏହାର ଏକ ପ୍ରମାଣ। ଏହି ଘଟଣାରେ ୬ ମୃତ୍ୟୁକୁ ନେଇ ସମସ୍ତ ବିରୋଧୀ ଦଳ ବିଜେପି ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଅତ୍ୟନ୍ତ ଅମାନବୀୟ ଓ ନିଷ୍ଠୁର କାର୍ଯ୍ୟ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଦେବା ଏକ ଭୟାନକ କାଣ୍ଡ ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ କୁମାର ଲାଲ୍ଲୁ କହିଛନ୍ତି ଯେ ଆନ୍ଦୋଳନରତ ଚାଷୀଙ୍କ ସ୍ବରକୁ ଦବାଇବା ପାଇଁ ବିଜେପି ଏଭଳି ବର୍ବର କାଣ୍ଡ ଘଟାଇଛି। ଏଭଳି ଅରାଜକତା ଓ ଦାଦାଗିରି ବିଜେପିର ହିଟ୍‌ଲରୀ ଶାସନର ପରିଚୟ ଦେଉଛି ବୋଲି ସେ କହିଛନ୍ତି। ରାଷ୍ଟ୍ରୀୟ ଲୋକଦଳ ସଭାପତି ଜୟନ୍ତ ଚୌଧୁରୀ ଏହି ଘଟଣା ପାଇଁ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି। ଚାଷୀ ଆନ୍ଦୋଳନକୁ ଦବାଇ ଦେବା ପାଇଁ ଏହା ଗୃହମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମ୍‌ ଆଦ୍‌ମୀ ପାର୍ଟି ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି। ଆପ୍‌ ନେତା ସଂଜୟ ସିଂହ କହିଛନ୍ତି ମନ୍ତ୍ରୀଙ୍କ ପୁଅ ୩ ଆନ୍ଦୋଳନକାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବା କଥା କେବେ ଦେଖିନଥିଲୁ କି ଶୁଣିନଥିଲୁ। ଲଖିମପୁରରେ ଆନ୍ଦୋଳନକାରୀ ଚାଷୀମାନଙ୍କୁ ସମର୍ଥନ ଜଣାଇ ବିରୋଧୀ ଦଳ ନେତାମାନେ ଦେଶବ୍ୟାପୀ ଜୋର୍‌ଦାର ପ୍ରତିବାଦ କରିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର