ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଲାଲୁ

ନୂଆଦିଲ୍ଳୀ: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଅଜି ଜଟିଳ ରହିଛି। ଉତ୍ତମ ଚିକିତ୍ସା ପାଇଁ ଲାଲୁଙ୍କୁ ଆଜି ରାଞ୍ଚିରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଗତ ୨ ଦିନ ଧରି ଲାଲୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ୍‌ ହୋଇଯିବାରୁ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଶୁକ୍ରବାର ଲାଲୁଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଛି। ବୟସ ଦୃଷ୍ଟିରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ପଠାଇବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ରିମ୍ସ ନିର୍ଦ୍ଦେଶକ ଡା କାମେଶ୍ବର ପ୍ରସାଦ କହିଛନ୍ତି। ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସ ଅଣାଯାଇଛି। ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ମେଡିକାଲ୍‌ ବୋର୍ଡ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରୁଛନ୍ତି।

ଲାଲୁଙ୍କ ପତ୍ନୀ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ପୁଅ ତେଜସ୍ବୀ ଏବଂ ତେଜପ୍ରତାପଙ୍କ ସହ ମିସା ଭାରତୀ ଲାଲୁଙ୍କୁ ରିମ୍ସରେ ସାକ୍ଷାତ କରିଥିଲେ। ଲାଲୁଙ୍କ ପରିବାର ସଦସ୍ୟ ତାଙ୍କ ସହ ୫ ଘଣ୍ଟା ରହିଥିବା ଜଣାପଡ଼ିଛି। ଲାଲୁଙ୍କ ପରିବାର ସଦସ୍ୟ ତାଙ୍କ ପାଇଁ ଖୁବ୍‌ ଚିନ୍ତିତ ଅଛନ୍ତି। ଶନିବାର ଅଧିକ ଟେଷ୍ଟ୍‌ ହେବାପରେ ଡାକ୍ତରମାନେ ଲାଲୁଙ୍କୁ ଚିକିତ୍ସା କରିବାପାଇଁ ଏମ୍ସ ପଠାଇବାକୁ ଚାହିଥିଲେ।

ସମ୍ବନ୍ଧିତ ଖବର