ପୌରାଞ୍ଚଳ ରାଜପଥରେ ଖୋଲିହେବ ମଦଦୋକାନ

ନୂଆଦିଲ୍ଲୀ : ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୫୦୦ ମିଟର ଦୂରତାରେ ମଦ ଦୋକାନ ଖୋଲିବା ନିଷିଦ୍ଧ ସମ୍ପର୍କିତ ଗତ ଜୁଲାଇ ୧୧ ତାରିଖ ରାୟରେ ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟୀକରଣ ଦେଇଛନ୍ତି। ମାଡ୍ରାସ ହାଇକୋର୍ଟର ଏକ ପିଟିସନର ସ୍ପଷ୍ଟୀକରଣ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ମ୍ୟୁନିସିପାଲ ଅଞ୍ଚଳ ମଧ୍ୟରେ ଯାଇଥିବା ରାଜପଥ ନିମନ୍ତେ ୨୦୧୬ ଡିସେମ୍ବର ୧୫ ତାରିଖରେ କୋର୍ଟ ମଦ ଦୋକାନ ବନ୍ଦ ପାଇଁ ଦେଇଥିବା ରାୟ ଲାଗୁ ହେବନି। ମାଡ୍ରାସ ହାଇକୋର୍ଟ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ମୁକୁଲ ରୋହତଗୀଙ୍କ ପ୍ରଶ୍ନର ଉତ୍ତରରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ସ୍ପଷ୍ଟ କରିଛନ୍ତି।

ପୂର୍ବ ରାୟରେ ସୁପ୍ରିମକୋର୍ଟ କେବଳ ଚଣ୍ଡିଗଡ଼ ମ୍ୟୁନିସିପାଲ ଅଞ୍ଚଳ ପାଇଁ ଏହି ନିୟମ ଛାଡ଼ କରିଥିବା ଦର୍ଶାଇ ଏହା ସ୍ପଷ୍ଟ କରିବାକୁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଚଣ୍ଡିଗଡ଼ର ‘ଆରାଇଭ୍‌ ସେଫ ସୋସାଇଟିି’ ନାମକ ଏନ୍‌ଜିଓ ଏହା ଦାୟର କରି ଏହି କୋହଳ ନୀତି କେବଳ ପଞ୍ଜାବ ପାଇଁ କାହିଁକି ଏବଂ ଚେନ୍ନାଇ ପାଇଁ କାହିଁକି ନୁହେଁ ବୋଲି ସ୍ପଷ୍ଟୀକରଣ ଲୋଡ଼ିିଥିଲେ। ତେବେ ଏହାର ମୌଖିକ ଉତ୍ତର ଦେଇ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏହା ଚଣ୍ଡିଗଡ଼ ପାଇଁ କୋହଳ କରାଯାଇଥିବାରୁ ସାରା ଦେଶର ଅନ୍ୟାନ୍ୟ ପୌରାଞ୍ଚଳ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି କହିଥିଲେ।

ସମ୍ବନ୍ଧିତ ଖବର