୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଭିନ୍ନମତ ରଖିଲା ଦେଶର ସଟ୍ଟା ବଜାର; କହିଲା ମୋଦି ହେବେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ: ୨୦୧୯ ଲୋକସଭାର ନିର୍ବାଚନର ଫଳାଫଳକୁ ନେଇ ଗତକାଲି ସନ୍ଧ୍ୟାରେ ଏକ୍‌ଜିଟ୍‌ ପୋଲର ଫଳାଫଳ ପ୍ରକାଶ ପାଇବା ପରଠାରୁ ଦେଶର ରାଜନୀତି ମାହୋଲ ସରଗରମ ହୋଇ ଉଠିଛି। ଏ ପରିପ୍ରେକ୍ଷୀରେ ୨୦୧୯ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ଦେଶର ସଟ୍ଟାବଜାରରେ ମଧ୍ୟ ଆଜି ତାତି ଦେଖିବାକୁ ମିଳିଛି। ଅଧିକାଂଶ ଏକ୍‌ଜିଟ୍‌ ପୋଲର ରିପୋର୍ଟ ବିଜେପି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଭବିଷ୍ୟବାଣୀ କରିଥିଲେ ସୁଦ୍ଧା ଦେଶର ସଟ୍ଟା ବଜାର କିନ୍ତୁ ଏଥିରେ ଏକମତ ହୋଇପାରି ନାହିଁ।

ସଟ୍ଟା ବଜାରର ଭବିଷ୍ୟବାଣୀ କହୁଛି ୨୦୧୯ ନିର୍ବାଚନରେ ବିଜେପି ଏକକ ଦଳଭାବେ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ। ସରକାର ଗଠନ କରିବାକୁ ହେଲେ ବିଜେପିକୁ ତା’ର ସହଯୋଗୀ ଦଳମାନଙ୍କର ସାହାଯ୍ୟ ନେବାକୁ ପଡ଼ିବ। ବିଜେପି ଏକାକୀ ୫୪୨ ଆସନ ମଧ୍ୟରୁ ୨୩୮ରୁ ୨୪୧ ଆସନରେ ବିଜୟ ଲାଭ କରିବ। ସେହିପରି ବିରୋଧୀ କଂଗ୍ରେସର ସଂଖ୍ୟା ୧୦୦ ଛୁଇଁବ ନାହିଁ। କଂଗ୍ରେସର ସଂଖ୍ୟା ୭୯ରୁ ୮୧ ମଧ୍ୟରେ ହିଁ ସୀମିତ ରହିବ।

ରାଜସ୍ଥାନର ସଟ୍ଟା ବଜାର ବିଜେପିକୁ ୨୪୨ରୁ ୨୪୫ ଓ କଂଗ୍ରେସକୁ ୭୫ରୁ ୮୦ ଆସନ ଦେଇଥିବା ବେଳେ, ରାଜଧାନୀ ନୂଆଦିଲ୍ଲୀର ସଟ୍ଟା ବଜାର ବିଜେପିକୁ ୨୩୮ରୁ ୨୪୧ ଓ କଂଗ୍ରେସକୁ ୭୮ରୁ ୮୦ ଆସନ ଦେଇଛି, ଗୁଜୁରାଟର ସଟ୍ଟା ବଜାର ବିଜେପିକୁ ୨୪୨ରୁ ୨୪୪ ଓ କଂଗ୍ରେସକୁ ୮୦ରୁ ୮୨ ଆସନ ଦେଇଛି, ମଧ୍ୟପ୍ରଦେଶର ସଟ୍ଟା ବଜାର ବିଜେପିକୁ ୨୪୬ରୁ ୨୪୮ ଓ କଂଗ୍ରେସକୁ ୮୦ରୁ ୮୨ ଆସନ ଦେଇଛି।

ଏଥିସହ ସଟ୍ଟା ବଜାରର ଭବିଷ୍ୟବାଣୀ କହୁଛି, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ ସତ; କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ପଡ଼ୁଥିବା ମ୍ୟାଜିକ୍‌ ନମ୍ବର ୨୭୨କୁ ବିଜେପି ଏକା ଛୁଇଁ ପାରିବ ନାହିଁ। ମ୍ୟାଜିକ୍‌ ନମ୍ବର ଛୁଇଁବାକୁ ହେଲେ ବିଜେପିକୁ ତା’ର ମେଣ୍ଟ ସହଯୋଗୀମାନଙ୍କର ସହଯୋଗର ଆବଶ୍ୟକତା ପଡ଼ିବ। ଅନ୍ୟପକ୍ଷରେ ସଟ୍ଟା ବଜାରର ଭବିଷ୍ୟବାଣୀ କହୁଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥି ଲୋକସଭା ଆସନରୁ ବିଜୟ ଲାଭ କରିବେ।

ସମ୍ବନ୍ଧିତ ଖବର