ଲୋକସଭାରେ ଅନାସ୍ଥା ଆଜି, ଝୁଲାଇ ରଖିଲା ବିଜେଡି

ନୂଆଦିଲ୍ଲୀ : ଆସନ୍ତାକାଲି ଏନ୍‌ଡିଏ ସରକାର ବିରୋଧରେ ଆସୁଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନା ବିରୋଧ କରିବ, ସେ ନେଇ ଏଯାଏ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମସ୍ତଙ୍କୁ ଝୁଲାଇ ରଖିଛନ୍ତି। ଆସନ୍ତାକାଲି ଗୃହରେ ଆଲୋଚନା ବେଳେ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ତେବେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ବିଜେଡିକୁ ୧୫ମିନିଟ୍‌ର ସମୟ ବାଚସ୍ପତି ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଆଜି ତେଲଗୁ ଦେଶମ ପାର୍ଟି ନେତା ଥୋଟା ନରସିଂହମ୍‌ ବିଜେଡି କାର୍ଯ୍ୟାଳୟକୁ ଆସିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଏକ ପତ୍ର ଦେଇଥିଲେ। ସେହିଭଳି କଂଗ୍ରେସ ମଧ୍ୟ ବିଜେଡିର ସହଯୋଗ ଲୋଡିଥିବା ଖବର ମିଳିଛି।

ଆଜି ସକାଳେ ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଏଥିରେ ୨୦ରୁ ଅଧିକ ସାଂସଦ ଯୋଗଦେଇଥିଲେ। ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥକୁ କିଭଳି ଗୁରୁତ୍ୱ ଦିଆଯିବ, ସେ ନେଇ ଆଲୋଚନା ହୋଇଥିଲା। ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ନୀତି ସଂପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା।

ଆସନ୍ତାକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ତେଲଗୁ ଦେଶମ ଦଳର ଆଭିମୁଖ୍ୟକୁ ଅନୁଧ୍ୟାନ ପରେ ବିଜେଡି ଅନାସ୍ଥା ପ୍ରସ୍ତାବ ସଂପର୍କରେ ଗୃହରେ ହିଁ ନିଷ୍ପତ୍ତି ନେବ ବୋଲି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ କହିଥିଲେ। ଏଥିସହିତ ଦଳର ସମସ୍ତ ସାଂସଦଙ୍କୁ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଗୃହରେ ଉପସ୍ଥିତ ରହିବା ପାଇଁ ଦଳପକ୍ଷରୁ ତିନି ଧାଡିଆ ହ୍ଵିପ୍‌ ଜାରି କରାଯାଇଛି। ତେବେ ଯାହା ସୂଚନା ମିଳିଛି ବିଜେଡି ମତଦାନରୁ ବିରତ ରହିପାରେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଂସଦୀୟ ଦଳ ବୈଠକରେ ହୋଇଥିବା ଆଲୋଚନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ବିଜେଡି ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ୍‌ ପ୍ରସଙ୍ଗରେ ତେଲଗୁ ଦେଶମ ଦଳର ଆଭିମୁଖ୍ୟକୁ ବିଜେଡି ପକ୍ଷରୁ ଅତି ନିକଟରୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ। ଓଡ଼ିଶା ପୋଲାଭରମ୍‌କୁ ବିରୋଧ କରୁଥିବାରୁ ଟିଡିପି ଏହି ପ୍ରସଙ୍ଗକୁ କିଭଳି ଢଙ୍ଗରେ ଉତ୍‌ଥାପନ କରିବ, ତା ଉପରେ ବିଜେଡି ବିଶେଷ ଦୃଷ୍ଟି ଦେବ।

ଉଲ୍ଲେଖଯୋଗ୍ୟ, ‘ସମ୍ବାଦ’କୁ ସୂଚନା ଦେଇ ଶ୍ରୀ ଥୋଟା ନରସିଂହମ୍‌ କହିଥିଲେ, ବିଜେଡି ନେତା ଶ୍ରୀ ମହତାବଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି ଓ ଅନାସ୍ଥାକୁ ସମର୍ଥନ ପାଇଁ ସେ ଆଲୋଚନା କରିଛନ୍ତି। ସେ ଆଶାବାଦୀ ଅଛନ୍ତି ଯେ ବିଜେଡି ସମର୍ଥନ କରିବ।

କଂଗ୍ରେସ ସାଂସଦ କେ ସି ଭେନୁଗୋପାଳ ‘ସମ୍ବାଦ’କୁ କହିଛନ୍ତି, ବିଜେଡି ସମେତ ସମଭାବାପନ୍ନ ଦଳର ନେତାଙ୍କ ସମର୍ଥନ ଲୋଡାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। ଏସବୁ ଦଳର ସମର୍ଥନ ମିଳିବ ବୋଲି ଶ୍ରୀ ଭେନୁଗୋପାଳ ଆଶା ପ୍ରକଟ କରିଥିଲେ।

କିଏ କାହା ପଟେ

ନୂଆଦିଲ୍ଲୀ : ଶାସନର ୪ ବର୍ଷ ପରେ ମୋଦୀ ସରକାର ଶୁକ୍ରବାର ପ୍ରଥମ ଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ସରକାର ସପକ୍ଷରେ ଆବଶ୍ୟକ ସଂଖ୍ୟା ଥିବାରୁ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ପରାସ୍ତ ହେବା ନିଶ୍ଚିତ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ କେଉଁ ଦଳ କାହାପଟେ ରହିବେ ତାହାର ଚିତ୍ର ମିଳିଯିବ ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ଉଭୟ ଶାସକ ଏବଂ ବିରୋଧୀ ଦଳ ପରସ୍ପରର ଦୋଷତ୍ରୁଟିକୁ ପଦାରେ ପକାଇବା ଲାଗି ଭରପୂର ଉଦ୍ୟମ କରିବେ।

୫୪୫ ସଭ୍ୟ ବିଶିଷ୍ଟ ଲୋକସଭାରେ ୧୧ ଆସନ ଖାଲି ପଡ଼ିଥିବାରୁ ଏବେ ସଭ୍ୟସଂଖ୍ୟା ହେଉଛି ୫୩୪। ଅନାସ୍ଥା ପ୍ରସ୍ତାବକୁ ହରାଇବାକୁ ହେଲେ ସରକାରଙ୍କୁ ୨୬୮ ଜଣଙ୍କ ସମର୍ଥନ ଜରୁରୀ। ଏକାକୀ ବିଜେପିର ୨୭୩ ସଭ୍ୟ ଥିବା ବେଳେ ସମସ୍ତ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୩୧୩। ତେବେ ବିରୋଧୀଙ୍କୁ ଚକମା ଦେବାଲାଗି ବିଜେପି ନିଜ ସପକ୍ଷରେ ଅଧିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି। ବିରୋଧୀ ଦଳମାନଙ୍କ ମଧ୍ୟରେ ଯେ ଏକତା ନାହିଁ ତାହାକୁ ପଦାରେ ପକାଇବା ହେଉଛି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ବିଜେପି ନେତାମାନେ ବିରୋଧୀ ଦଳଙ୍କ ଉପରେ ନଜର ପକାଇଛନ୍ତି। ଆଗରୁ ବିରୋଧୀ ଦଳର ଶିବିରରେ ଥିବା ଆନ୍ନାଡିଏମକେ ଆଜି ଘୋଷଣା କରିଛି ଯେ ଏହା ସରକାରଙ୍କୁ ସମର୍ଥନ ଦେବ। ଏହି ପାର୍ଟିର ୩୭ ଜଣ ସଭ୍ୟ ଅଛନ୍ତି। ସେହିଭଳି ବିଜେଡି(୧୯)ର ସମର୍ଥନ ହାସଲ କରିବା ଲାଗି ମଧ୍ୟ ବିଜେପି ନେତାମାନେ ଉଦ୍ୟମ ଚଳାଇଛନ୍ତି। ତେବେ ବିଜେଡି ଆସନ୍ତାକାଲି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବ।

ଅନ୍ୟପକ୍ଷରେ ମୁଖ୍ୟ ସହଯୋଗୀ ଶିବ ସେନା (୧୮)କୁ ନେଇ ବିଜେପି ଚିନ୍ତାରେ। ସରକାରକୁ ସମର୍ଥନ ଲାଗି ଦିନରେ ଘୋଷଣା କରିଥିବା ଶିବସେନା ରାତିରେ ମନ ପରିବର୍ତନ କରିଛି। ପାର୍ଟି କହିଛି ଯେ ସରକାରଙ୍କୁ ସମର୍ଥନ ଦିଆଯିବ କି ନାହିଁ ତାହା କାଲି ଘୋଷଣା କରାଯିବ। ବିଜେପିର ଅନ୍ୟ ପ୍ରମୁଖ ସହଯୋଗୀ ମଧ୍ୟରେ ଅଛନ୍ତି ପାଶ୍ୱାନଙ୍‌କ ଏଲଜେପି (୬) ଏବଂ ଅକାଳୀ ଦଳ (୪)।

କିନ୍ତୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ଭଳି ଦଳ ଏବଂ ଅନ୍ୟ ସହଯୋଗୀ ଦଳର ସାଂସଦଙ୍କୁ ମିଶାଇଲେ ଏହା ପ୍ରାୟ ୧୬୭ ହେଉଛି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସଭ୍ୟ ସଂଖ୍ୟା ୬୩ ଥିବା ବେଳେ ତୃଣମୂଳ କଂଗ୍ରେସର ୩୪, ଟିଡିପିର ୧୪ ଏବଂ ଟିଆରଏସ୍‌ର ୧୧ ଜଣ ସାଂସଦ ଅଛନ୍ତି। ଏହାଛଡ଼ା ଆପ୍‌, ସିପିଏମ୍‌ ଏବଂ ଅନ୍ୟକିଛି ଦଳ ଏହାକୁ ସମର୍ଥନ ଦେବେ ବୋଲି କୁହାଯାଉଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଅନାସ୍ଥାରେ ସେମାନେ ବିଜୟୀ ହେବେ ନାହିଁ ବୋଲି ଜାଣିଛନ୍ତି। କିନ୍ତୁ ସରକାରଙ୍କୁ ଦୋଷକୁ ପଦାରେ ପକାଇବା ହେଉଛି ସେମାନଙ୍କର ଉଦ୍ଦେଶ୍ୟ।

ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପକ୍ଷରୁ ଏନ୍‌ଡିଏ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଶୁକ୍ରବାର ଜୋର୍‌ଦାର ଆଲୋଚନା ହେବ। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିରୋଧୀ ଦଳ ଓ ଏନ୍‌ଡିଏ ମଧ୍ୟରେ ମାରାଥନ୍‌ ବିତର୍କ ହେବ। ଏହାପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର