ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ ତୀବ୍ର

ଦିଗ୍‌ବିଜୟଙ୍କ ବିରୋଧରେ ବୟାନ ଦେଇଥିବା ମନ୍ତ୍ରୀଙ୍କୁ କମଳନାଥଙ୍କ ତାଗିଦ୍‌, ମନ୍ତ୍ରୀଙ୍କୁ ସମର୍ଥନ କଲେ ସିନ୍ଧିଆ

ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ କଳହ ତୀବ୍ର ହେବାରେ ଲାଗିଛି। ମଧ୍ୟପ୍ରଦେଶ ଜଙ୍ଗଲ ମନ୍ତ୍ରୀ ଉମଙ୍ଗ ସିଙ୍ଘର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବି‌ରୋଧରେ ରଖିଥିବା ଏକ ବୟାନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କମଳନାଥ ସମନ କରି ତାଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକ କରିଥିଲେ। ଦିଗବିଜୟ ସିଂହ ଜଣେ ବ୍ଲାକ୍‌ମେଲର ଏବଂ ସେ ମଧ୍ୟପ୍ରଦେଶ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଊମଙ୍ଗ୍‌ କହିଥିଲେ। ତେବେ ଉମଙ୍ଗ୍‌ଙ୍କ ଏଭଳି ଟିପ୍ପଣୀ ପାଇଁ କମଳନାଥ ତାଙ୍କ ସହ ଗତକାଲି ରୁଦ୍ଧଦ୍ବାର ବୈଠକ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ବୟାନ ନଦେବା ପାଇଁ ତାଗିଦ କରିଥିଲେ। ଏହି ବୈଠକ ସମୟରେ କଂଗ୍ରେସ ବିଧାୟକ ହିରାଲାଲ୍‌ ଅଲୱା ଏବଂ ରାଜ୍ୟବର୍ଦ୍ଧନ ସିଂହ ଦତ୍ତିଗାଓଁ ଉପସ୍ଥିତ ଥିଲେ। ପରେ କମଳନାଥ କହିଥିଲେ ଗଣମାଧ୍ୟମରେ କିଛି ବିବୃତି ଜାରି କରିବା ପୂର୍ବରୁ ପ୍ରଥମେ ତାଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବା ଉଚିତ୍‌। ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରସଙ୍ଗରେ ସିଙ୍ଘରଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କମଳନାଥ ତାଙ୍କ ସରକାରରେ ବାହ୍ୟ ହସ୍ତକ୍ଷେପ ବନ୍ଦ କରିବା ଉଚିତ୍‌ ଏବଂ ସେ ପ୍ରଥମେ ତାଙ୍କ ମନ୍ତ୍ରୀମାନଙ୍କ କଥା ଶୁଣିବା ଊଚିତ୍‌।

ଉଲ୍ଲେଖଯୋଗ୍ୟ. ପିସିସି ସଭାପତି ଦୌଡ଼ରେ ଥିବା ସିଙ୍ଘର ଗତକାଲି ସର୍ବସାଧାରଣରେ ନିଜ କ୍ରୋଧ ପ୍ରକାଶ କରି କହିଥିଲେ, ଦିଗବିଜୟ ଜଣେ ନମ୍ବର ୱାନ୍‌ ବ୍ଲାକମେଲର। ବାଲି, ଖଣିଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ସେ ସବୁ ବ୍ୟବସାୟରେ‌ ସାମିଲ ଅଛନ୍ତି। ଏହି ବୟସରେ ସେ ଏଭଳି ଦୁର୍ନୀତିରେ ମାତିବା ଠିକ୍‌ ନୁହେଁ ବୋଲି ସିଙ୍ଘର କହିଥିଲେ।

ସମ୍ବନ୍ଧିତ ଖବର