ମହାନଦୀ ଜଳବିବାଦ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲା : ନିଯୁକ୍ତ ହେବେ ଦୁଇ ଜଳ ମୂଲ୍ୟାଙ୍କନ କର୍ମୀ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଦୁଇ ଜଣ ଜଳ ମୂଲ୍ୟାଙ୍କନ କର୍ମୀ ବା ଆ‌େସସର୍‌ଙ୍କୁ ନିଯୁକ୍ତି ଦିଆଯିବ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଟ୍ରିବ୍ୟୁନାଲରେ ହାଜର ହୋଇ କହିଥିଲେ ଯେ ରାଜ୍ୟକୁ ଛତିଶଗଡ଼ଠାରୁ ଆବଶ୍ୟକ ହେଉଥିବା ନଥିପତ୍ର ଓ ଦସ୍ତାବିଜ ମିଳୁନାହିଁ। କ୍ଷେତ୍ର ପରିଦର୍ଶନ ଓ ବୈଠକ ହୋଇପାରିନଥିବା ସମ୍ପର୍କରେ ସେ ଅବଗତ କରିବା ପରେ ଟ୍ରିବ୍ୟୁନାଲ କହିଥିଲେ ଯେ ମୂଲ୍ୟାଙ୍କନକାରୀ ନିଯୁକ୍ତି ହେବାଦ୍ବାରା ଦୁଇ ରାଜ୍ୟ ମଧ୍ୟରେ ସୂଚନାର ଆଦାନ ପ୍ରଦାନ ସହ ବୈଠକ ପାଇଁ ସମନ୍ବୟ ପ୍ରତିଷ୍ଠା ହେବ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନଵିଲକର, ବିଚାରପତି ଡକ୍ଟର ରବି ରଞ୍ଜନ ଓ ବିଚାରପତି ଇନ୍ଦରମିତ କୌରଙ୍କ ଖଣ୍ଡପୀଠରେ ଆଜି ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡ଼ର ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ କରିବା ପାଇଁ ତିନି ସପ୍ତାହ ସମୟ ଲୋଡ଼ା ଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଛତିଶଗଡ଼ ଦ୍ବାରା ବିଳମ୍ବରେ ସତ୍ୟପାଠ ହସ୍ତଗତ ହୋଇଥିବାରୁ ଖଣ୍ଡପୀଠଙ୍କ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ସମୟ ଅବଧିରେ ପ୍ରତିଜବାବ ଦାଖଲ କରାଯାଇ ପାରିନାହିଁ। ଏହାପରେ ଖଣ୍ଡପୀଠଙ୍କ ଦ୍ବାରା ଓଡ଼ିଶାକୁ ତିନି ସପ୍ତାହର ମହଲତ ମିଳିଥିଲା।

ଅପରପକ୍ଷେ ଆଜିର ଶୁଣାଣି ବେଳେ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ପିଟିସନ୍‌ର ଜବାବ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ବେଳେ ଛତିଶଗଡ଼ ଏହାର ପ୍ରତିଜବାବ ଦାଖଲ କରିପାରିନାହିଁ ବୋଲି ଖଣ୍ଡପୀଠଙ୍କୁ ଛତିଶଗଡ଼ର ଓକିଲ ଅତୁଲ ଝା ଅବଗତ କରିଥିଲେ। ପ୍ରତିଜବାବ ଦାଖଲ କରିବା ପାଇଁ ୮ ସପ୍ତାହ ସମୟ ଦେବା ପାଇଁ ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ଖଣ୍ଡପୀଠ ୫ ସପ୍ତାହ ଭିତରେ ପ୍ରତି ଜବାବ ଦାଖଲ କରିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ଛତିଶଗଡ଼ର ଷ୍ଟେଟମେଣ୍ଟ୍‌ ଅଫ୍ କ୍ଲେମସ ଉପରେ ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟମାନଙ୍କୁ ୬ ସପ୍ତାହ ଭିତରେ ଜବାବ ଦାଖଲ କରିବା ତଥା ଛତିଶଗଡ଼କୁ ୨ ସପ୍ତାହରେ ପ୍ରତିଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଟ୍ରିବ୍ୟୁନାଲ୍‌ ଆଜିର ଶୁଣାଣିରେ ମହାନଦୀ ଜଳବିବାଦ ମାମଲାରେ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ପିଟିସନ ଉପରେ ପ୍ରସଙ୍ଗ ଧାର୍ଯ୍ୟ କରିବା ପାଇଁ ଅକ୍ଟୋବର ୧୯ ତାରିଖକୁ ସ୍ଥିର କରିଥିଲେ। ଏଥିପୂର୍ବରୁ ମାମଲାରେ ସମ୍ପୃକ୍ତ ଥିବା ରାଜ୍ୟମାନେ ପ୍ରସଙ୍ଗ ସମ୍ପର୍କିତ ଦସ୍ତାବିଜ ଦାଖଲ କରିବାର ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲ ଅଗଷ୍ଟ ୩ରେ ଶୁଣାଣି କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର