ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ତୃତୀୟ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତାକାଲି ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତା‌‌ରେ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ତୃତୀୟ ଶୁଣାଣି ହେବ।

ଓଡ଼ିଶା ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ତଥା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଗତ ଶୁଣାଣି‌ରେ ଓଡ଼ିଶାକୁ ଛତିଶଗଡ଼ ବ୍ୟାରେଜ୍‌ ନିର୍ମାଣ କରିବା ପୂର୍ବରୁ ମହାନଦୀରେ ପ୍ରବାହିତ ହେଉଥିବା ଜଳ ଓ ପରବର୍ତ୍ତୀ ଜଳପ୍ରବାହ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା, ଯେଉଁଥିରେ ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ଏଥିସହିତ, ମହାନଦୀରେ ଅଣମୌସୁମୀ ସମୟରେ ୧.୭୪ ନିୟୁତ ଏକର ଫୁଟ୍‌ ଜଳ ଛାଡ଼ିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାପାଇଁ ଆବେଦନରେ ଦାବି କରାଯାଇଥିଲା। ଛତିଶଗଡ଼ ସରକାରଙ୍କ ପକ୍ଷରୁ ମଧ୍ୟ ଓଡ଼ିଶାର ସତ୍ୟପାଠ ଉପରେ ଟ୍ରିବ୍ୟୁନାଲ୍‌ରେ ପ୍ରତିଜବାବ ଦାଖଲ କରାଯାଇଛି। ସୂଚନା ଅନୁସାରେ, ଗତ ୨୦ ବର୍ଷ ଧରି ମହାନଦୀରେ କେତେ ପରିମାଣରେ ବର୍ଷାଜଳ ପ୍ରବାହିତ ହେଉଥିଲା, ବ୍ୟାରେଜ୍‌ ନିର୍ମାଣ ପରେ ହୀରାକୁଦ ଓ ମହାନଦୀ ଉପରେ କି ପ୍ରଭାବ ପଡ଼ିଛି, କେତେ ପରିମାଣ ଜଳ ପ୍ରଭାବିତ ବଧାପ୍ରାପ୍ତ ହୋଇଛି, ଟ୍ରିବ୍ୟୁନାଲ୍‌ ଆସନ୍ତାକାଲି ଏସବୁ ପ୍ରସଙ୍ଗ ଗୁଡ଼ିକର ତର୍ଜମା କରିବେ।

ସମ୍ବନ୍ଧିତ ଖବର