ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ଚ୍ୟାଲେଂଜ, ଆଜି ହୋଇପାରେ ଶୁଣାଣି

ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନାରେ ବିଦ୍ରୋହକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଦ୍ରୋହୀ ବିଧାକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉପବାଚସ୍ପତି ଜାରି କରିଥିବା ନୋଟିସକୁ ଚା‌ଲେଞ୍ଜ କରି ବିଦ୍ରୋହୀମାନେ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଖଲ କରିଛନ୍ତି। ଏହି ପ୍ରକିୟା ଉପରେ ରୋକ୍ ଲଗାଇବା ଲାଗି ଅନୁରୋଧ କରାଯାଇଛି। ଆଜି ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

India Today

ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ସେନାର ଅନ୍ୟ ୧୫ ବିଧାୟକଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉପବାଚସ୍ପତି ସେମାନଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧ‌ା ଏହାର ଜବାବ ରଖିବା ଲାଗି କୁହାଯାଇଛି। ଏହି ପିଟିସନକୁ ବେଆଇନ ଦର୍ଶାଇ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିସନ ଦାଖଲ କରାଯାଇଛି। ପିଟିସନରେ ଯୁକ୍ତି କରାଯାଇଛି ଯେ କେବଳ ବିଧାନସଭା ଭିତରେ ‌ହେଉଥିବା କାର୍ଯ୍ୟକଳାପ ପାଇଁ ଅଯୋଗ୍ୟ ଘୋଷଣା ଆଇନ ଲାଗୁ ହୋଇପାରିବ। ଦଳୀୟ ବୈଠକରେ ଅନୁପସ୍ଥିତି ଯୋଗୁଁ ଏଭଳି ଆଇନ ଲାଗୁ କରାଯାଇ ପାରିବ ନାହିଁ। ତେଣୁ ଉପବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ରୋକ୍ ଲଗାଯାଉ। ଉଦ୍ଧବ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିବାରୁ ପିଟିସନରେ ଏହାକୁ ଚାଲେଞ୍ଜ କରାଯାଇଛି। ବିଧାନସଭାରେ ଶିବ ସେନା ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି। ଏହାସହିତ ସମସ୍ତ ଅସନ୍ତୁଷ୍ଟ ବିଧାୟକ ଏବଂ ‌ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାଲାଗି ପିଟିସନରେ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରାଯାଇଛି।

The Indian Express

ସୂଚନାଯୋଗ୍ୟ ଯେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ୧୯୮୬ର ରାଜ୍ୟ ଦଳବଦଳ ବା ସମର୍ଥନ ପ୍ରତ୍ୟାହାର ଆଇନ ଅନୁଯାୟୀ ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉପବାଚସ୍ପତି ଜିରୱାଲଙ୍କ ପାଖକୁ ଚିଠି ଲେଖିଥିବା ବେଳେ ମହାରାଷ୍ଟ୍ର ବିଧାନ ଭବନ ପ୍ରମୁଖ ସଚିବ ରାଜେନ୍ଦ୍ର ଭଗୱନ୍ତ ଉକ୍ତ ସମନ ଜାରି କରିଥିଲେ। ଉକ୍ତ ବିଦ୍ରୋହୀ ବିଧାୟକଙ୍କୁ ସୋମବାର ଅପରାହ୍ଣ ୫ଟା ୩୦ ସୁଦ୍ଧା ଆବଶ୍ୟକ କାଗଜପତ୍ର ସହ ନିଜ ସପକ୍ଷରେ ଲିଖିତ ଉତ୍ତର ଦେବାକୁ ପଡ଼ିବ। ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। ସେମାନଙ୍କୁ ବରଖାସ୍ତ କରିବା ଲାଗି ସେ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି।

ଇତିମଧ୍ୟରେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଦେବଦତ୍ତ କାମତ କହିଛନ୍ତି ଯେ ରାଜ୍ୟ ବିଧାନସଭା ବାହାରେ କାର୍ଯ୍ୟକଳାପ ପାଇଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଅନେକ ନଜିର ରହିଛି। ଆଇନ ଅନୁଯାୟୀ ବିଦ୍ରୋହୀ ଗୋଷ୍ଠୀଙ୍କୁ ଅଲଗା ଦଳରେ ସାମିଲ ହେବାକୁ ପଡ଼ିବ। ନହେଲେ ସେମାନେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଏହି ମାମଲାରେ ବାଚସ୍ପତିଙ୍କ ବଡ଼ କ୍ଷମତା ରହିଛି। ତେବେ ସୁପ୍ରିମ କୋର୍ଟ ଆଜି କଣ କହୁଛନ୍ତି ତାହା ଉପରେ ‌ଅନେକ କିଛି ନିର୍ଭର କରୁଛି।

ସମ୍ବନ୍ଧିତ ଖବର