ସିଏଏ, ଏନ୍‌ଆରସି ବିରୋଧରେ ଏକାକୀ ଲଢ଼ିବେ ମମତା

‌ସୋନିଆଙ୍କ ବୈଠକକୁ ‌ବର୍ଜନ

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସିକୁ ଆରମ୍ଭରୁ ବିରୋଧ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା‌ ବାନାର୍ଜୀ ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମ‌ରେ ସିଏଏ ବିରୋଧରେ ଏକଜୁଟ ହୋଇଥିବା ବିରୋଧୀ ଦଳରୁ ଦୂରେଇ ଯାଇଛନ୍ତି। ମମତା ଆଜି ତାଙ୍କ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ସେ ଏକାକୀ ଲଢ଼ିବେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ବାରା ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଡକାଯାଇଥିବା ବୈଠକରେ ତାଙ୍କ ଦଳ ଟିଏମ୍‌ସି ଯୋଗ ଦେବନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ଏବଂ ବାମ ଦଳ ଘୃଣ୍ୟ ରାଜନୀତି କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନରେ ମମତା କହିଛନ୍ତି, ସେ ସୋନିଆଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗ ନଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗରେ ବୁଧବାର ଭାରତ ବନ୍ଦ ଦିନ ବାମ ଦଳ ଏବଂ କଂଗ୍ରେସ ଦ୍ବାରା ହୋଇଥିବା ହିଂସାକୁ ସେ ସମର୍ଥନ କରୁନଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ମମତା କହିଛନ୍ତି ସେ ହିଁ ପ୍ରଥମେ ସିଏଏ, ଏନ୍‌ଆରସି ବିରୋଧରେ ଆନ୍ଦୋଳନ କରିଥିଲେ। କଂଗ୍ରେସ ଏବଂ ବାମଦଳ ଯାହା କରୁଛନ୍ତି ତାହା କେବଳ ସିଏଏ-ଏନ୍‌ଆରସି ନାମରେ ହିଂସା । ମମତା କହିଛନ୍ତି, ସିଏଏ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ ଏବଂ ସେ ପଶ୍ଚିମବଙ୍ଗରେ କେବେ ବି ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ । ସୋନିଆଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ସମସ୍ତ ବିରୋଧୀ ଦଳ ଯୋଗ ଦେବେ। ମମତା ମଧ୍ୟ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଫୋନ୍‌ କରି ତାଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର