ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତରେ ଦେଶକୁ ସମ୍ବୋଧିତ କରି ଭାରତବାସୀ କିଭଳି ପ୍ରାକୃତିକ ବିପର୍ଯୟ ସହ ଲଢ଼ି ସଫଳ ହୋଇଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ଏହା ସହ ଆତ୍ମନିର୍ଭର ହେବା ପାଇଁ କହିବା ସହ ଚୀନ ସହ ଚାଲିଥିବା ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ସେ କହିଥିଲେ, ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ କିଛି ଲୋକ ୨୦୨୦ କେବେ ଶେଷ ହେବ ସେ ବିଷୟରେ ଚିନ୍ତା କରୁଛନ୍ତି | ୨୦୨୦ରେ ଆମ ଦେଶ କରୋନା ଭଳି ମହାମାରୀ ସହ ଲଢ଼ିବା ସହ, ‘ଅମ୍ଫାନ’ ଏବଂ ନିସର୍ଗ ଭଳି ବାତ୍ୟା, ପଙ୍ଗପାଳ, ଭୂମିକମ୍ପ ଏବଂ ଚୀନ ସହ ବିବାଦର ସମସ୍ୟାକୁ ସାମ୍ନା କରିଛି | ଏକା ସାଙ୍ଗରେ ଏତେ ସମସ୍ୟା ଆସୁଥିବାରୁ ୨୦୨୦ କେବେ ସରିବ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି | କିନ୍ତୁ ଆମେମାନେ ମିଳିମିଶି ଏହି ସବୁ ସମସ୍ୟାର ସାମ୍ନା କରି ପାରିବା | ଆମର ଇତିହାସ ଦର୍ଶାଏ ଯେ, ଆମେ ସବୁବେଳେ ଅନେକ ବଡ ବଡ ସମସ୍ୟାର ସାମ୍ନା ସାହସର ସହ କରିଛୁ ଏବଂ ଏହା ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛୁ |
ଦେଶର ଯବାନମାନଙ୍କ ବଳିଦାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ନିଜର ସୀମା ତଥା ସାର୍ବଭୌମତ୍ଵର ସୁରକ୍ଷା ପାଇଁ ଭାରତର ପ୍ରତିବଦ୍ଧତାକୁ ବିଶ୍ୱ ଦେଖିଛି। ଲଦାଖରେ ଆମ ସୀମାକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିବା ଶତ୍ରୁକୁ ଉପଯୁକ୍ତ ଜବାବ ଦିଆଯାଇଛି | 'ଭାରତ ମିତ୍ରତା ନିଭାନା ଜାନତା ହେ, ତୋ ଆଁଖ ମେଁ ଆଁଖ ଡାଲକର ଦେଖନା ଔର ଉଚିତ ଜବାବ ଦେନା ଭି ଜାନତା ହେ' ବୋଲି କହି ଲଦାଖରେ ଭାରତୀୟ ଯବାନମାନେ ଚୀନକୁ ଦେଇଥିବା ଉଚିତ ଜବାବ ବିଷୟରେ ଚର୍ଚ୍ଚା କରିଥିଲେ |
ଆତ୍ମନିର୍ଭର ଭାରତ ଉପରେ ଆଲୋଚନା କରି ସେ କହିଥିଲେ ଯେ, ଭାରତବାସୀ ଆତ୍ମନିର୍ଭରଶୀଳ ହେବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇଛନ୍ତି | ଏହା ସହ ବିଦେଶୀ ଜିନିଷ ବ୍ୟବହାର ନ କରି ନିଜ ଦେଶରେ ତିଆରି ହେଉଥିବା ଜିନିଷ ବ୍ୟବହାର କରିବା ପାଇଁ ମନ ବଳାଉଛନ୍ତି | ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ ଜଣାଇ ଅନେକ ଲୋକ ମୋତେ ଚିଠି ଜରିଆରେ ନିଜ ମନ କଥା କହିଛନ୍ତି |
କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନର ପ୍ରତିବନ୍ଧକକୁ ଏବେ କୋହଳ କରାଯାଇଛି | ଏହା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଦେଶକୁ ଅନଲକ୍ କରାଯାଇଥିଲେ ମଧ୍ୟ ନାଗରିକମାନଙ୍କୁ ଅଧିକ ସଚେତନ ହେବା ଆବଶ୍ୟକ | କରୋନାଭାଇରସକୁ ପରାସ୍ତ କରିବା ପାଇଁ ନାଗରିକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।