ପାଖକୁ ଯାଇ ଫଟୋ ଉଠାଉଥିବା ବ୍ୟକ୍ତିର ଗୋଡ଼କୁ ଆକ୍ରମଣ କରି ଆହତ କଲା କଲରାପତ୍ରିଆ

ଗୌହାଟି: ଆସାମର ଡିବ୍ରୁଗଡ଼ ଅନ୍ତର୍ଗତ ଖାର୍ଜନ୍‌ ଚା ବଗିଚା ନିକଟରେ ଗୋଟାଏ କଲରାପତ୍ରିଆର ଫଟୋ ଉଠାଉଥିବା ବେଳେ ଜଣେ ବ୍ୟକ୍ତି ତା’ର ଆକ୍ରମଣର ସରବ୍ୟ ହୋଇ ଆହତ ହୋଇଛନ୍ତି।

ଉକ୍ତ ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଅଣ୍ଡିରା କଲରାପତ୍ରିଆଟି ଚାବୁଆ ବାଇପାସ୍‌ରେ ଥିବା ଗୋଟାଏ କଲ୍‌ଭର୍ଟ (ଛୋଟ ପୋଲ) ଭିତରେ ଆଶ୍ରୟ ନେଇଥିଲା। କେତେକ ପଥଚାରୀ ତାକୁ ଦେଖି ପକାଇବା ପରେ କଥାଟି ଚାରିଆଡ଼େ ରାଷ୍ଟ୍ର ହୋଇଗଲା। କଲରାପତ୍ରିଆକୁ ଦେଖିବା ପାଇଁ ବହୁସଂଖ୍ୟକ ଲୋକ ଆସି ସେଠାରେ ପହଞ୍ଚିଲେ।

ଏହି ସମୟରେ ଧାକୁଆଖାନାରୁ ଫେରୁଥିବା ଜଣେ ଦିନ ମଜୁରିଆ କଲରାପତ୍ରିଆ କଥା ଶୁଣି ସେଠାରେ ପହଞ୍ଚିଲା। ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ସେ କଲରାପତ୍ରିଆର କେତୋଟି ଫଟୋ ଉଠାଇଲା। ଭଲ ଫଟୋ ଉଠାଇବା ଉପରେ ଧ୍ୟାନ ଦେଇ ସେ ନିଜ ଅଜାଣତରେ କଲରାପତ୍ରିଆର ଅତି ନିକଟକୁ ଚାଲିଯାଇଥିଲେ।

Image Courtesy of Wildlife SOS

ଜଣେ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଲୋକଟି କଲରାପତ୍ରିଆର ‘କ୍ଲୋଜ୍‌-ଅପ୍‌’ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ। ହଠାତ୍ କଲରାପତ୍ରିଆ ତାଙ୍କୁ ଆକ୍ରମଣ କରି ଆହତ କରି ପକାଇଲା। ତାଙ୍କ ଗୋଡ଼ରେ ଆଘାତ ହୋଇଛି।

କଲରାପତ୍ରିଆ ଗୋଡ଼ାଇବାରୁ ଲୋକେ ଜୀବନବି‌କଳେ ଧାଇଁ ପଳାଉଥିବାର ଦୃଶ୍ୟ ମଧ୍ୟ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି।

ଶେଷରେ ତିନ୍‌ସୁକିଆ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଲେ ଓ ‘ଟ୍ରାଙ୍କୁଲାଇଜର୍‌’ (ନିଶ୍ଚେତକ) ପ୍ରୟୋଗ କରି ଅଚେତ କଲରାପତ୍ରିଆକୁ ନେଇ ଚାଲିଗଲେ। ତା’ର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ତାକୁ ପୁଣି ବଣରେ ଛାଡ଼ି ଦିଆଯିବ।

ସମ୍ବନ୍ଧିତ ଖବର