ନ୍ୟୁୟର୍କରେ ଟ୍ରାନ୍‌ସ୍‌ଫର୍‌ମର୍‌ ବିସ୍ଫୋରଣ: ଘନ ଅନ୍ଧକାରରେ ବୁଡ଼ି ରହିଛନ୍ତି ମାନହାଟନ୍‌ର ୪୦ ହଜାର ଗ୍ରାହକ

ନ୍ୟୁୟର୍କ: ଶନିବାର ଦିନ ନ୍ୟୁୟର୍କର ପଶ୍ଚିମ ପାର୍ଶ୍ୱରେ ଗୋଟାଏ ବିଜୁଳି ଟ୍ରାନ୍‌ସ୍‌ଫର୍‌ମର୍‌ରେ ବିସ୍ଫୋରଣ ଘଟିବାରୁ ମାନହାଟନ୍‌ର ୪୦ ହଜାରରୁ ଅଧିକ ଗ୍ରାହକ ଅନ୍ଧକାର ମଧ୍ୟରେ ବୁଡ଼ି ରହିଛନ୍ତି। ବିଜୁଳି ନ ଥିବାରୁ ମେଟ୍ରୋ ଷ୍ଟେସନ୍‌ ଏବଂ ଦୋକାନ ବଜାରରେ ଘନ ଅନ୍ଧାର ଭରି ରହିଛି।
ଅନେକ ଲୋକ ଲିଫ୍‌ଟ୍‌ ମଧ୍ୟରେ ଅଟକି ରହିଥିବାର ଖବର ମିଳିଛି।

ସନ୍ଧ୍ୟା ପ୍ରାୟ ୭ଟା ବେଳେ ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଟ୍ରାନ୍‌ସ୍‌ଫର୍‌ମର୍‌ରୁ ନିଆଁ ଲିଭାଇବାକୁ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇଥିବା କଥା ସହରର ଅଗ୍ନିଶମ ବିଭାଗର ମୁଖପାତ୍ର କହିଛନ୍ତି।

ହଡ୍‌ସନ୍‌ ନଦୀର ପଶ୍ଚିମ ପାର୍ଶ୍ୱସ୍ଥ ଫିଫ୍‌ଥ୍‌ ଆଭେନ୍ୟୁ ଯାଏଁ, ପଶ୍ଚିମ ୪୦ର ଉତ୍ତରରୁ ୭୨ ଷ୍ଟ୍ରିଟ୍‌ ଯାଏଁ ବିଜୁଳି ବିଭ୍ରାଟ ଘଟିଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ନ୍ୟୁୟର୍କ ଷ୍ଟେଟ୍‌ ଗଭର୍ଣ୍ଣର୍‌ ଆଣ୍ଡ୍ରିଓ କ୍ୟୁଓମୋ କହିଛନ୍ତି: ଏ ପରିସ୍ଥିତି ସ୍ୱଳ୍ପକାଳୀନ ବୋଲି ଆମେ ଆଶା କରୁଛୁ। ବିଜୁଳି ଫେରି ଆସିବାକୁ କେତେ ସମୟ ଲାଗିବ ତାହା ଆମେ ଆକଳନ କରିନାହିୁଁ।

ବିଜୁଳି ଫେରାଇ ଆଣିବା କାମ ଆରମ୍ଭ ହୋଇ ଯାଇଛି ଏବଂ ମଧ୍ୟ ରାତ୍ରୀ ସୁଦ୍ଧା ବିଜୁଳି ସରବରାହ ସ୍ୱାଭାବିକ ହେବ ବୋଲି ୧୦: ୦୦ ପରେ ଟୁଇଟ୍‌ କରି ୟୁଟିଲିଟି କନ୍‌ ଏଡିସନ୍‌ କହିଛି।

୧୯୭୦ ମସିହା ଅର୍ଥାତ୍‌ ପ୍ରାୟ ୪୨ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠି ଜନାକୀର୍ଣ୍ଣ ସହରରେ ଏ ଭଳି ପରିସ୍ଥିତି ହୋଇଥିଲା। ସେତେବେଳେ ସହରରେ ଲୁଟ୍‌ ଓ ଗୋଳମାଳ ବ୍ୟାପୀ ଥିଲା।

ସମ୍ବନ୍ଧିତ ଖବର