ଆତଙ୍କବାଦୀ ୟାକୁବ ମେମନ କବରରେ ମାର୍ବଲ, ଏଲ୍‌ଇଡି ଆଲୋକ ବ୍ୟବସ୍ଥା

ପୂର୍ବତନ ଏମ୍‌ଭିଏ ସରକାରକୁ ବିଜେପିର ଆକ୍ରମଣ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିୟଲ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ୟାକୁବ ମେମନର କବରକୁ ପୂର୍ବତନ ମହାବିକାଶ ଅଘାଡ଼ି ସରକାର ମଜାରରେ ପରିଣତ କରିଥିବା ବିଜେପି ଅଭିଯୋଗ କରିଛି। ଉଦ୍ଧବ ଠାକରେଙ୍କ ସରକାର ଆତଙ୍କବାଦୀକୁ ମହାପୁରୁଷର ମର୍ଯ୍ୟାଦା ଦେଇଛି ବୋଲି ବିଜେପି କହିଛି। ଆତଙ୍କବାଦୀର କବରସ୍ଥଳରେ ଚଟାଣରେ ମାର୍ବଲ ବିଛା ହୋଇଛି, ଫୁଲ ଗଛ ଆଦି ଲଗା ହୋଇଛି ଏବଂ ସନ୍ଧ୍ୟାରେ ଏଲ୍‌ଇଡି ଆଲୁଅ ଜଳିବାର ବ୍ୟବସ୍ଥା କରାଯାଇଛି।

ବିଜେପି ଏହି କବରସ୍ଥଳର ଏକ ଫଟୋ ସେୟାର କରି ପୂର୍ବତନ ଉଦ୍ଧବ ଠାକରେ ସରକାରକୁ କଟୁ ସମାଲୋଚନା କରିଛି। ବିଜେପି ବିଧାୟକ ରାମ କଦମ ଟ୍ବିଟ୍ କରିଛନ୍ତି ଯେ ୟାକୁବ ମେମନର ସମାଧିକୁ ମଜାରରେ ପରିଣତ କରାଯାଇଛି। ସତେ ଯେମିତି ଜଣେ ମହାତ୍ମା ବା ଫକିର। ଏହି ଆତଙ୍କବାଦୀ ୧୯୯୩ ମସିହାରେ ପାକିସ୍ତାନ ନିର୍ଦ୍ଦେଶରେ ମୁମ୍ବାଇରେ ସିରିୟଲ ବିସ୍ଫୋରଣ କରିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୫ ଜୁଲାଇ ୩୦ରେ ତାକୁ ନାଗପୁର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। ଏପରି ଆତଙ୍କବାଦୀକୁ ହିରୋ ବନେଇବା ମାମଲାରେ ଠାକରେଙ୍କ ସହ ଶରଦ ପାୱାର ଓ ରାହୁଲ ଗାନ୍ଧି ଏଥିପାଇଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର