ଲାଞ୍ଚ ନେଇ ୨ କିରାଣି ଗିରଫ

ବ୍ରହ୍ମପୁର : ଲାଞ୍ଚ ନେଇ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ କନିଷ୍ଠ କିରାଣି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସେମାନେ ହେଲେ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନି‌ଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କାସ୍ଥିତ ଜୟପୁର ନୋଡ଼ାଲ୍ ହାଇସ୍କୁଲର କନିଷ୍ଠ କିରାଣି ପ୍ରଦୀପ କୁମାର ମହାନ୍ତି। ଏହି ବିଦ୍ୟାଳୟର ଅବସରପ୍ରାପ୍ତ ସାଇନ୍ସ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କ ପେନ୍‌ସନ୍ ଏବଂ ଅନ୍ୟାନ୍ୟ ସୁବିଧା ଚୂଡ଼ାନ୍ତ କରାଇବା ପାଇଁ ଦୁହେଁ ୧୦ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡ଼ିଛି।

ଭିଜିଲାନ୍ସ ବିଭାଗର ସୂଚନା ମୁତାବକ, ଶ୍ରୀ ପାଣିଗ୍ରାହୀଙ୍କୁ ଦୁଇ ଅଭିଯୁକ୍ତ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। କେମିକାଲ୍ ବୋଳା ଟଙ୍କା ‌ଦିଆଯାଇ କାଳୀଚରଣଙ୍କୁ ପଠାଯାଇଥିଲା। ସେ ପ୍ରଦୀପଙ୍କୁ ଟଙ୍କା ଦେଇଥିଲେ। ପ୍ରଦୀପ ଉକ୍ତ ଟଙ୍କାରୁ ୭ହଜାର ଟଙ୍କା ସୁଶୀଲଙ୍କୁ ଦେଇଥିଲେ। ଭିଜିଲାନ୍ସ ଟିମ୍ ଚଢ଼ାଉ କରି ପ୍ରଦୀପଙ୍କ ସାର୍ଟ ପକେଟରୁ ୩ ହଜ‌ାର ଟଙ୍କା ଏବଂ ସୁଶୀଲଙ୍କ କାର୍ଯ୍ୟାଳୟ ଆଲମିରାରୁ ୭ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ୍‌ ନଂ ୧୭/୨୦୨୨ରେ ରୁଜୁ କରାଯାଇ ବେଳେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର