ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ବାହାର ରାସ୍ତା ମଝିରେ ଜଣେ ନମାଜ ପଢ଼ିଲେ ମୌଲବି

ଲକ୍ଷ୍ନୌ: ଶୁକ୍ରବାର ସନ୍ଧ୍ୟାବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ବାହାର ଅଣ୍ଟାରେ ଛୁରି ଖୋଷି, ଟ୍ରାଫିକ୍‌ ଜାମ୍‌ କରାଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇ ଜଣେ ମଧ୍ୟ ବୟସ୍କ ଲୋକ ରାସ୍ତାରେ ନମାଜ ପଢ଼ି ହୈ ଚୈ ସୃଷ୍ଟି କରିଥିଲେ।

ଘଟଣା ଘଟିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସଚିବାଳୟ ମଧ୍ୟରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରୁଥିଲେ।
ସେ ବ୍ୟକ୍ତିଜଣକ ସ୍ଥାନୀୟ ମୌଲବି ରଫିକ୍‌ ଅହମଦ୍‌ ବୋଲି ପରେ ଜଣାପଡ଼ିଲା ଏବଂ ମଧ୍ୟରାତ୍ରୀ ପରେ ତାଙ୍କୁ ଗିରଫ କରାଯିବା ପରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଥିଲା।

ଲକ୍ଷ୍ନୌର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କାଳନିଧି ନୈଥାନି କହନ୍ତି: ସମସ୍ୟା ଓ ରାସ୍ତା ଅବରୋଧ କରିଥିବା କାରଣରୁ ତାଙ୍କୁ ଠାବ କରାଯାଇ ଗିରଫ କରାଯାଇଛି। ଏ ମାମଲାରେ ଅଧିକ ତଦନ୍ତ ଚାଲିଛି।

ଘଟଣାକୁ ବଡ଼ ଗୁରୁତ୍ୱର ସହ ଗ୍ରହଣ କରି ଲକ୍ଷ୍ନୌ ପୁଲିସ ମୁଖ୍ୟ ଘଟନାସ୍ଥଳରେ ଉପସ୍ଥିତ ଦୁଇ ଜଣ କନେଷ୍ଟବଳଙ୍କୁ ଅବହେଳା ଏବଂ ରାସ୍ତା ମଝିରେ ସେ ବ୍ୟକ୍ତିଙ୍କୁ ନମାଜ ପଢ଼ିବାକୁ ସୁଯୋଗ ଦେଇଥିବା କାରଣରୁ ନିଲମ୍ବିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ବାହାରେ ଜନଗହଳିଭରା ରାସ୍ତାରେ ଲୋକଟି ନମାଜ ପଢ଼ିବା ବେଳେ ୨୦ ମିନିଟ୍‌ ଧରି ଟ୍ରାଫିକ୍‌ ଜାମ୍‌ ହୋଇ ଯାଇଥିଲା। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର ନିରାପତ୍ତା ରକ୍ଷୀ ଏବଂ ଟ୍ରାଫିକ୍‌ ପୁଲିସ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ନିରବ ଦର୍ଶକ ହୋଇ ରହିଥିଲେ। ଟେଲିଭିଜନ୍‌ କ୍ରୁ’ମାନେ ସମଗ୍ର ଘଟନାକୁ ରେକର୍ଡ କରିଥିଲେ।

ନମାଜ ପାଠ ସାରି ନିଜ ଦୁଇ ଚକିଆ ଗାଡ଼ିରେ ସେ ଲୋକଟି ସେଠାରୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର