ଅଧିକ ଲଗେଜ୍‌ ଆଣିଥିବାରୁ ବାରାଣସୀ ବିମାନ ବନ୍ଦରରେ ଅଟକ ରହିଲେ ମରିସସ୍‌ର ରାଷ୍ଟ୍ରପତି

ବାରାଣସୀ: ଅଧିକ ଲଗେଜ୍‌ ଆଣିଥିବା କାରଣରୁ ମରିସସ୍‌ର ରାଷ୍ଟ୍ରପତି ପୃଥ୍ଵୀରାଜସିଂହ ରୂପନଙ୍କୁ ଶୁକ୍ରବାର ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକା ଯାଇଥିଲା। ସେ ବାରାଣସୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନ ବନ୍ଦରର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ତାଙ୍କୁ ଛଡ଼ାଯାଇଥିଲା।

ଛଅଜଣିଆ ପ୍ରତିନିଧି ଦଳ ସହ ମରିସସ୍‌ର ରାଷ୍ଟ୍ରପତି ଗୁରୁବାର ଦିନ ଦୁଇଦିନିଆ ଗସ୍ତରେ ମନ୍ଦିର ନଗରୀ ବାରାଣସୀ ଆସିଥିଲେ।

ଆଣିଥିବା ଅଧିକ ଲଗେଜ୍‌ ବାବଦରେ ଦେୟ ପୈଠ କଲେ ଯାଇ ରୂପନଙ୍କୁ ଛଡ଼ାଯିବ ବୋଲି ବାରାଣସୀସ୍ଥିତ ଲାଲ୍‌ ବାହାଦୁର ଶାସ୍ତ୍ରୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ଏୟାର୍‌ ଇଣ୍ଡିଆର ଜଣେ କର୍ମଚାରୀ କହିଥିଲେ।

ବିମାନ ବନ୍ଦରର ନିର୍ଦେଶକ ଆକାଶଦୀପ ମାଥୁର କହନ୍ତି କି, ଏ ସଂକ୍ରାନ୍ତରେ ଜାଣିବା ମାତ୍ରେ ସେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍‌ କୌଶଳ ରାଜ ଶର୍ମା ମଧ୍ୟ ଏୟାର୍‌ ଇଣ୍ଡିଆର କର୍ମଚାରୀଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିଥିଲେ।

କିନ୍ତୁ, ଏୟାର୍‌ ଇଣ୍ଡିଆର କର୍ମଚାରୀମାନେ କହିଥିଲେ ଯେ ସେମାନଙ୍କୁ ନିୟମାନୁସାରେ କାର୍ଯ୍ୟନିର୍ବାହ କରିବାକୁ ପଡ଼ିବ।

Image Source: Amar Ujala

ଏହାପରେ ସରକାରୀ କର୍ତ୍ତୃପକ୍ଷମାନେ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ସହ କଥାବାର୍ତ୍ତା କରିଥିଲେ। ଭାରତ ଗସ୍ତରେ ଆସିଥିବା ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଠାରୁ ଅଧିକ ଲଗେଜ୍‌ ବାବଦରେ କୌଣସି ଦେୟ ଆଦାୟ ନ କରିବାକୁ ଏୟାର୍‌ ଇଣ୍ଡିଆର ଅଧିକାରୀମାନଙ୍କୁ ବିମାନ ଚଳାଚଳ ମନ୍ତ୍ରାଳୟ କହିଥିଲା।

ଏୟାର୍‌ ଇଣ୍ଡିଆର ପରିଚାଳକ ଆତିଫ୍‌ ଇଦ୍ରିଶ୍‌ କହନ୍ତି ଯେ ମାତ୍ରାଧିକ ଲଗେଜ୍‌ ଥିବାରୁ ରୁପନ୍‌ଙ୍କ ଟିମ୍‌କୁ ଦେୟ ପୈଠ କରିବାକୁ କୁହାଯାଇଥିଲା। କର୍ତ୍ତୃପକ୍ଷମାନଙ୍କ ଠାରୁ ନିର୍ଦେଶ ମିଳିବା ପରେ ବିନା ଦେୟରେ ଅଧିକ ଲଗେଜ୍‌ଗୁଡ଼ିକୁ ପଠାଯାଇଥିଲା।

ଏହାପରେ ମରିସସ୍‌ର ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନରେ ଚଢ଼ିଥିଲେ।

ସମ୍ବନ୍ଧିତ ଖବର