‘ର’ ଏଜେଣ୍ଟ୍‌ମାନେ ତାଙ୍କୁ ଅପହରଣ କରି ମାରଧର କରିଥିବା ଦାବି କରୁଛନ୍ତି ମେହୁଲ୍‌ ଚୋକ୍‌ସି

ନୂଆଦିଲ୍ଲୀ: ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ନେଇଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ‘ରିସର୍ଚ ଆଣ୍ଡ୍‌ ଆନାଲିସସ୍ ୱିଙ୍ଗ୍‌’ର (ର) ଏଜେଣ୍ଟ୍‌ ବୋଲି ପଳାତକ ହୀରା ବ୍ୟବସାୟୀ ମେହୁଲ୍‌ ଚୋକ୍ସି ଦାବି କରିଛନ୍ତି।

ବୈଦ୍ୟୁତିକ ଗଣମାଧ୍ୟମକୁ ଦେଇଥିବା ‌ଏକ ସାକ୍ଷାତ୍‌କାରରେ ଚୋକ୍ସି ଗୁରମିତ ସିଂହ ଏବଂ ଗୁରଜିତ ଭଣ୍ଡାଲ୍‌ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି। ସେ ଦୁହେଁ ‘ର’ ଏଜେଣ୍ଟ୍‌ ବୋଲି ସେ ଦାବି କରିଛନ୍ତି। ସେ ମଧ୍ୟ ତାଙ୍କର ସୁପରିଚିତା ବାର୍ବରା ଜାରାବିକାଙ୍କୁ ଚିହ୍ନଟ କରିଛନ୍ତି। ତାଙ୍କରି ଘରୁ ହିଁ ଚୋକ୍ସିଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ଶୁଣାଯାଉଛି।

ଚୋକ୍ସିଙ୍କ ଭାଷାରେ, ମୋର ବିଶ୍ବାସ ଯେ, ସେମାନେ (ଗୁରମିତ ସିଂହ ଓ ଗୁରଜିତ ସିଂହ) ହେଉଛନ୍ତି ‘ର’ ଏଜେଣ୍ଟ୍। ମୁଁ ଡୋମିନିକାରେ ପହଞ୍ଚିବା ପରେ ମଧ୍ୟ ‘ର’ ଏଜେଣ୍ଟ୍‌ଙ୍କ କଥା ଶୁଣିଲି। ସେମାନେ ସେ ଦ୍ବୀପର ବିଭିନ୍ନ ଅଞ୍ଚଳ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ଅଛନ୍ତି।

ସେମାନେ ‘ର’ ଏଜେଣ୍ଟ୍ ଏବଂ ପଚରାଉଚୁରା ପାଇଁ ମତେ ଧରି ନେଉଥିବା କଥା କହିଥିଲେ। ସେମାନେ ମୋ ସହ ଅତି ନିର୍ମମ ବ୍ୟବହାର କରିବା ସହ ବିଭିନ୍ନ ସ୍ଥାନରେ ମାରଧର କରିଛନ୍ତି।

Image Courtesy of India TV

ମେ ୨୩ ତାରିଖ ଦିନ ମେହୁଲ ଚୋକ୍ସି କହିଥିଲେ ଯେ, ଡିନର୍‌ ପାଇଁ ଆମନ୍ତ୍ରଣ କରିବା ଲାଗି ସେ ବାର୍ବରା ଜାରାବିକାଙ୍କ ଘରକୁ ଯାଇଥିଲେ। ତାଙ୍କୁ ଆଣିବା ଲାଗି ମୁଁ କାର୍‌ ନେଇ ଯାଇଥିଲି। ମୁଁ ତାଙ୍କ ଦୁଆରେ ପହଞ୍ଚିବା ପରେ ସେ ମତେ ଭିତରକୁ ଡାକିଲେ। ମୋର କିଛି ସନ୍ଦେହ ହେଲାନି। ମୁଁ ତାଙ୍କ ଘର ଆଗରେ କାର୍‌ ରଖି ଭିତରକୁ ଗଲି। ସେ ଗିଲାସେ ମଦ୍ୟ ପାନ କରୁଥିଲେ। ସେ ମତେ ସୋଫାରେ ବସାଇଲେ। ତା’ର ୩/୪ ମିନିଟ୍‌ ପରେ ଦ‌େଳେ ଲୋକ ଦୁଇ ପାଖରୁ ପ୍ରବେଶ କଲେ।

ସେମାନେ କହିଲେ, ଆପଣ କିଏ ଆମେ ଜାଣୁ। ପଚରାଉଚୁରା ପାଇଁ ଆମେ ଆପଣଙ୍କୁ ନେଇଯିବୁ। ସେମାନଙ୍କ ମଧ୍ୟରୁ ଦୁଇଜଣ ମୋ ହାତ ଧରିଲେ, ଦୁଇଜଣ ମୋ ଗୋଡ଼ ଧରିଲେ। ଏମିତିରେ ସେମାନେ ମତେ ସମ୍ପୂର୍ଣ୍ଣ କାବୁ କରି ପକାଇଲେ।

‌ଚୋକ୍ସି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ଅପହରଣ କରାଯିବ ବୋଲି ଗତ ତିନି ବର୍ଷ ହେବ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନ ବେଳୁ ସେ ଉଡ଼ା ଖବର ଶୁଣି ଆସୁଛନ୍ତି। ଗୋଟାଏ ଉଡ଼ାଜାହାଜ ଆସୁଛି, ଅନେକ ଲୋକ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ସେମାନେ ତାଙ୍କୁ ନେଇ ମାରି ପକାଇବେ ବୋଲି ତାଙ୍କୁ କୁହାଯାଇଛି।

ସେ ପୁଣି ମଧ୍ୟ କହିଛନ୍ତି ଯେ, ଭାରତରୁ ଆଣ୍ଟିଗୁଆକୁ କୋଭିଡ୍ ଟିକା ଆସିବା ପରେ ଲୋକେ କହିଲେ, ମୋ ପ୍ରତିବଦଳ ପାଇଁ ଆଣ୍ଟିଗୁଆକୁ ଟିକା ଦିଆଯାଇଛି। ଏହା ଗୋଟାଏ ଷଡ଼ଯନ୍ତ୍ର ବୋଲି ମୋର ମନେହୁଏ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ୧୩,୫୦୦ କୋଟି ଟଙ୍କା ଜାଲିଆତି ମାମଲାରେ ମେହୁଲ୍ ଚୋକ୍ସିଙ୍କୁ ଖୋଜା ପଡ଼ିଥିବା ବେଳେ ସେ ୨୦୧୮ରେ ଭାରତରୁ ଖସିଯାଇ ଆଣ୍ଟିଗୁଆ ଓ ବାରବୁଡ଼ାରେ ରହୁଛନ୍ତି। ସେଠାରୁ ବେଆଇନ ଭାବେ ଡୋମିନିକା ଦ୍ବୀପରେ ପ୍ରବେଶ କରିଥିବା କାରଣରୁ ତାଙ୍କୁ ମେ ୨୬ ତାରିଖ ଦିନ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର