୧୦୦ରୁ ଅଧିକ ଥିଲା ସ୍ପିଡ଼, ଦୁର୍ଘଟଣାର ୫ ସେକେଣ୍ଡ ପୂର୍ବରୁ ମାରିଥିଲେ ବ୍ରେକ: ମର୍ସିଡିଜର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିଜ୍ ଗୁରୁବାର ଦିନ ବ୍ୟବସାୟିକ ଟାଇକୁନ୍ ତଥା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ପାଲଘର ପୁଲିସକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। କମ୍ପାନି ଏହାର ରିପୋର୍ଟରେ କହିଛି ଯେ ସାଇରସ୍ ମିସ୍ତ୍ରୀ ବସିଥିବା କାର ଦୁର୍ଘଟଣାର ପାଞ୍ଚ ସେକେଣ୍ଡ ପୂର୍ବରୁ ୧୦୦ କିଲୋମିଟର ବେଗରେ ଯାତ୍ରା କରୁଥିଲା। ମର୍ସିଡିଜ୍-ବେଞ୍ଜ୍ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଦୁର୍ଘଟଣାର ପାଞ୍ଚ ସେକେଣ୍ଡ ପୂର୍ବରୁ ଗାଡିର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିଲା। ଡାକ୍ତର ଅନାହିତା(ଡ୍ରାଇଭର) ବ୍ରେକ୍ ଲଗାଇବା ପରେ କାରର ବେଗ ୮୯ କିଲୋମିଟରକୁ କମିଯାଇଥିଲା, କିନ୍ତୁ ସେତେବେଳେ କାରଟି ଧକ୍କା ହୋଇଯାଇଥିଲା। ପୁଲିସ କମ୍ପାନିକୁ ପଚାରିଥିଲା ​​ଯେ ଅନାହିତା ୧୦୦ କିଲୋମିଟର ବେଗରେ କାର ଚଳାଇବା ସମୟରେ ବ୍ରେକ ଲଗାଇଛନ୍ତି କି ନାହିଁ ଏବଂ କାରରେ କେତେଥର ବ୍ରେକ ମରାଯାଇଛି ତାହା ମଧ୍ୟ ପଚାରିଥିଲା।

ଉଲ୍ଲେଖ ଥାଉ କି ପୁଲିସ ଏହି ମର୍ସିଡିଜ୍-ବେଞ୍ଜ୍ ଏସୟୁଭି କାରର ଡାଟା ଚିପ୍ ବିଶ୍ଳେଷଣ ପାଇଁ ଜର୍ମାନୀକୁ ପଠାଇଥିଲା । ସୋମବାର କାର ନିର୍ମାତା ମର୍ସିଡିଜ ବେଞ୍ଚର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀମାନେ ଏଠାରେ ନଷ୍ଟ ହୋଇଥିବା କାରରୁ ଇଲେକ୍ଟ୍ରୋନିକ୍ ଚିପ୍ କାଢିଥିଲେ । ଏହି ଚିପ ଗାଡିର ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରିଥାଏ। ବର୍ତ୍ତମାନ ଏହି ଚିପ୍ ବିଶ୍ଳେଷଣ ପାଇଁ ଜର୍ମାନୀକୁ ପଠାଯାଇଥିଲା | ଏହାବାଦ କମ୍ପାନି ସେପ୍ଟେମ୍ବର ୧୨ ରେ କାରକୁ ନିଜ ଶୋ’ରୁମକୁ ନେଇଯିବ। ହଂକଂର ଏକ ଟିମ୍ କାର ଯାଞ୍ଚ କରିବାକୁ ଆସିବେ ଏବଂ ତା’ପରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ | ହଂକଂ ଦଳ ଭିସା ପାଇଁ ଆବେଦନ କରିଛି ଏବଂ ଯଦି ଦଳ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନଆସନ୍ତି, ତେବେ ଭାରତର ଏକ ଟିମ୍ ଗାଡି ଯାଞ୍ଚ କରିବେ ଏବଂ ତା’ପରେ ଏହା ଉପରେ ବିସ୍ତୃତ ରିପୋର୍ଟ ଦେବେ।

ଉଲ୍ଲେଖ ଥାଉ କି ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ତାଙ୍କର ମର୍ସିଡିସ୍ କାର୍ ଡିଭାଇଡର୍‌ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସାଇରସଙ୍କୁ ୫୪ ବର୍ଷ ହୋଇଥିଲା। ଏହି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀ ଏବଂ ଜାହଙ୍ଗୀର ପଣ୍ଡୋଲଙ୍କ ମୃତ୍ୟୁ ଘଟିଥିଲା । ଏଥି ସହିତ ଡାକ୍ତର ଅନାହିତା ପାଣ୍ଡୋଲ ଏବଂ ଡାରିୟସ ପାଣ୍ଡୋଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧିତ ଖବର