କଶ୍ମୀରରୁ ୭୨ କମ୍ପାନି ‘ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସେସ୍‌’ ପ୍ରତ୍ୟାହାର କରିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ତୁରନ୍ତ ୭୨ କମ୍ପାନି ‘ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସେସ୍‌’ (ସିଏପିଏଫ୍‌) ପ୍ରତ୍ୟାହାର କରିନେବାକୁ ମଙ୍ଗଳବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ‘ସିଏପିଏଫ୍‌’ର ପ୍ରତ୍ୟେକ କମ୍ପାନିରେ ପ୍ରାୟ ୧୦୦ ଜଣ କର୍ମଚାରୀ ଥାଆନ୍ତି। ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସେସ୍‌ରେ ସମାଲି ହୋଇଛନ୍ତି ୨୪ କମ୍ପାନି ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ, ୧୨ କମ୍ପାନି ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌), ୧୨ କମ୍ପାନି ଇଣ୍ଡୋ-ତିବେତାନ୍‌ ପୋଲିସ୍‌ (ଆଇଟିବିପି), ୧୨ କମ୍ପାନି ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଏବଂ ୧୨ କମ୍ପାନି ସଶସ୍ତ୍ର ସୀମା ବଳ (ଏସଏସ୍‌ବି)।

ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ନିରାପତ୍ତା ସ୍ଥିତି ସମୀକ୍ଷା କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟରେ ମଙ୍ଗଳବାର ଅପରାହ୍ଣ ୧ଟା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Image Source: Zee News

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌, ଗୃହ ସଚିବ ଅଜୟ କୁମାର ଭଲ୍ଲା, ସ୍ୱତନ୍ତ୍ର ଉପଦେଷ୍ଟା କେ. ବିଜୟ କୁମାର, ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ, ଆଇବି ମୁଖ୍ୟ ଅରବିନ୍ଦ କୁମାର, ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ, ସିଆର୍‌ପିଏଫ୍‌ର ମହାନିର୍ଦେଶକ ଆର୍‌ଆର୍‌ ଭଟ୍ଟନାଗର ଏବଂ ବିଏସ୍‌ଏଫ୍‌ର ମହାନିର୍ଦେଶକ ଜେନେରାଲ୍‌ ଭିକେ ଜୋହରିଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଥିଲେ।

ଏ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ପ୍ରତ୍ୟାହାର କରିନେବା ପରେ ‘ସିଆର୍‌ପିଏଫ୍‌’, ‘ବିଏସ୍‌ଏଫ୍‌’ ‘ଆଇଟିବିପି’, ‘ସିଆଇଏସ୍‌ଏଫ୍‌’ ଏବଂ ‘ଏସ୍‌ଏସ୍‌ବି’ରୁ ଏହି ୟୁନିଟ୍‌ଗୁଡ଼ିକୁ ଅଣାଯାଇ କଶ୍ମୀର ଉପତ୍ୟକାକୁ ପଠାଯାଇଥିଲା।

ଏ ମାସ ପ୍ରାରମ୍ଭରେ କଶ୍ମୀର ଉପତ୍ୟକାରୁ ଏ ଭଳି ପ୍ରାୟ ୨୦ କମ୍ପାନି ନିରାପତ୍ତା କର୍ମଚାରୀ ପ୍ରତ୍ୟାହୃତ ହୋଇଥିଲେ।

ସମ୍ବନ୍ଧିତ ଖବର