ଦିଲ୍ଲୀରେ ମହିଳାଙ୍କ ପ୍ରତି ଅସଦାଚରଣ, କନଷ୍ଟେବଳ ଓ ସହଯୋଗୀ ଗିରଫ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ମହେନ୍ଦ୍ର ପାର୍କ ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ପ୍ରତି ଅସଦାଚରଣ କରି ଜଣେ ହେଡ୍‌ କନଷ୍ଟେବଳ ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ପୁଲିସର କହିବା ଅନୁସାରେ ଥାନାରେ ମାମଲା ପଞ୍ଜୀକରଣ କରାଇବା ପାଇଁ ସମ୍ପୃକ୍ତ ମହିଳା ଓ ଅଭିଯୁକ୍ତଦ୍ବୟଙ୍କୁ ଥାନାକୁ ଅଣାଯାଇଥିଲା ସେତେବେଳେ ଥାନାରେ ମଧ୍ୟ ଅଭିଯୁକ୍ତଦ୍ବୟ ଥାନା ଅଧିକାରୀଙ୍କ ପ୍ରତି ଅସଦ୍‌ବ୍ୟବହାର କରିଥିଲେ।

ଗିରଫ ଅଭିଯୁକ୍ତଦ୍ବୟ ହେଉଛନ୍ତି ଆଜାଦପୁର ମେଟ୍ରୋ ଷ୍ଟେସନରେ ଅବସ୍ଥାପିତ ହେଡ୍ କନଷ୍ଟେବଳ ଅନିଲ ସିଂହ (୩୭) ଓ ତାଙ୍କ ସହଯୋଗୀ ରବି ଶର୍ମା (୪୬)। ଉଭୟଙ୍କ ଘର ମହେନ୍ଦ୍ର ପାର୍କ ଅଞ୍ଚଳରେ।

ସୂଚନାଯୋଗ୍ୟ, ଅସଦାଚରଣ ଓ ଆକ୍ରମଣର ଶିକାର ହେବା ନେଇ ୨୨ ବର୍ଷୀୟା ମହିଳା ଜଣକ ନିଜ ଫୋନରୁ ଏକ ‘ଡିଷ୍ଟ୍ରେସ୍ କଲ୍’ (ଆପତ୍‌କାଳୀନ କଲ୍‌) କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ମହିଳାଙ୍କୁ ଥାନାକୁ ଆସି ଅଭିଯୋଗ ପଞ୍ଜୀକରଣ କରାଇବାକୁ କହିଥିଲେ। ଥାନାରେ ମଧ୍ୟ ଅଭିଯୁକ୍ତଦ୍ବୟ ଆସି ଝାମେଲା କରିଥିଲେ। ଅଭିଯୁକ୍ତଦ୍ବୟଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର