‘ଜନତା କର୍ଫ୍ୟୁ’ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଦୀର୍ଘ ଯୁଦ୍ଧର ଆରମ୍ଭ କଲା: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ଦ୍ଦେଶର ପାଳନ କରି ୨୦୨୦ ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ପୂରା ଦେଶ କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇଥିଲା। ‘ଜନତା କର୍ଫ୍ୟୁ’ର ଅଭୂତତପୂର୍ବ ସଫଳତାକୁ ନେଇ ମୋଦୀ ଟୁଇଟ କରି ଲେଖିଛନ୍ତି, ଦେଶରେ ଏଯାବତ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ୩୦୦ରୁ ଊର୍ଧ୍ୱ ଟପି ସାରିଲାଣି। କରୋନାଭାଇରସ୍‌ ବିରୋଧୀ ଯୁଦ୍ଧର ନେତୃତ୍ୱ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ଏକ ହୋଇ ଧନ୍ୟବାଦ ଜଣାଇଛି। ଏଥିପାଇଁ ଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ।

ଆଜିର ‘ଜନତା କର୍ଫ୍ୟୁ’ ରାତି ୯ଟାରେ ଶେଷ ହୋଇଯିବ। କିନ୍ତୁ ଏହାର ଅର୍ଥ ନୁହେଁ କି ଆମେ ଖୁସି ହୋଇଯିବା। ଏହାକୁ ସଫଳତା ବୋଲି ଧରନ୍ତୁ ନାହିଁ। ଏହା ଏକ ଦୀର୍ଘତମ ଯୁଦ୍ଧର ଆରମ୍ଭ ମାତ୍ର। ଆଜି ଦେଶବାସୀ ‘ଜନତା କର୍ଫ୍ୟୁ’କୁ ସଫଳ କରି ନିଜକୁ ସକ୍ଷମ ବୋଲି ପ୍ରମାଣ ଦେଇଛନ୍ତି। ଏପରି ମନୋବଳ ରଖିଲେ ଆଗାମୀ ଦିନରେ ଏକାଠି ହୋଇ କଠିନରୁ କଠିନ ସମସ୍ୟାକୁ ଦୂର କରି ପାରିବା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଅବଶ୍ୟ ପାଳନ କରନ୍ତୁ। ଯେଉଁ ଜିଲ୍ଲା ଓ ରାଜ୍ୟରେ ଲକ୍‌-ଡାଉନ୍‌ ଘୋଷଣା କରାଯାଇଛି ସେହି ସ୍ଥାନରେ ଲୋକମାନେ ଆଦୌ ଘରୁ ବାହାରକୁ ବାହାରନ୍ତୁ ନାହିଁ। ସେମିତି ବାକି ଥିବା ଅଞ୍ଚଳର ବାସିନ୍ଦା ଆବଶ୍ୟକ ନ ଥିଲେ ହିଁ ବାହାରକୁ ବାହାରନ୍ତୁ, ନଚେତ ଘରେ ହିଁ ରୁହନ୍ତୁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର