ଜାନୁଆରି ୧୦ରେ ମୋଦୀଙ୍କ ଆସାମ ଗସ୍ତ, ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେତାବନୀ ଦେଲା ଆସାମ ଛାତ୍ର ସଂଘ

ଗୁଆହାଟୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ ଆସାମରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଶିଥିଳ ହୋଇଥିଲେ ମଧ୍ୟ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି । ରବିବାରଦିନ ନିଖିଳ ଆସାମ ଛାତ୍ର ସଂଘ (ଏଏଏସୟୁ) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଜାନୁଆରି ୧୦ରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଲେ ତାଙ୍କୁ ପ୍ରବଳ ବିରୋଧ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ ଓ ୧୦ ତାରିଖରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ନଜର ରଖାଯାଇଛି ।

‘ଖେଲୋ ଇଣ୍ଡିଆ’କୁ ଉଦଘାଟନ କରିବାକୁ ଜାନୁଆରି ୧୦ରେ ମୋଦୀ ଆସାମ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ନାଗରିକତା (ସଂଶୋଧନ) ଆଇନ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ମୋଦୀ ଆସାମ ଯିବେ ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଆସାମରେ ଏବେବି ଉତ୍ତେଜନା ଜାରି ରହିଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର