ତିନିଥରରେ ଶପଥ ନେଲେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର

ନୂଆଦିଲ୍ଲୀ: ଭୋପାଳର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଶପଥ ନେବା ସମୟରେ ଲୋକସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା | ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଯେତେବେଳେ ଶପଥ ନେବାକୁ ଆସିଥିଲେ ତାଙ୍କ ନାମକୁ ନେଇ ବିରୋଧୀ ଆପତ୍ତି କରିଥିଲେ | ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ସଂସ୍କୃତରେ ଶପଥ ନେଉଥିଲେ | ଯେତେବେଳେ ନିଜ ନାମ ଉଚ୍ଚାରଣ କରିଥିଲେ ତାହାକୁ ବିରୋଧୀ ବିରୋଧ କରିଥିଲେ | ସାଧ୍ବୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଯେ ‘ମୁଁ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ସ୍ୱାମୀ ପୂର୍ଣ୍ଣଚେତନାନନ୍ଦ ଅବଧେଶାନନ୍ଦ ଗିରି ଲୋକସଭା ସଦସ୍ୟ ରୂପେ ଶପଥ ନେଉଛି’ |

କିଛି ସାଂସଦ ଏହାକୁ ବିରୋଧ କରିଥିଲେ | ଲୋକସଭାରେ ଉପସ୍ଥିତ ଅଧିକାରୀ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ନିଜ ପିତାଙ୍କ ନାମ ନେବାକୁ କହିଥିଲେ | ବିରୋଧୀ କହିଥିଲେ ଯେ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ନିର୍ବାଚନ ଆୟୋଗଙ୍କ ପାଖରେ ଯେଉଁ ସତ୍ୟପାଠ ଦେଇଥିଲେ ସେଥିରେ ସ୍ୱାମୀ ପୂର୍ଣ୍ଣଚେତନାନନ୍ଦ ଅବଧେଶାନନ୍ଦ ଗିରିଙ୍କ ନାମ ଉଲ୍ଲେଖ ନଥିଲା | ତେଣୁ ନିୟମ ଅନୁସାରେ ସେ ଏହି ନାମରେ ଶପଥ ନେଇ ପାରିବେ ନାହିଁ | ଏହାକୁ ନେଇ ଦୁଇ ଥର ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଅଧା ଶପଥ ନେଇଥିଲେ |

ଶେଷରେ କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାରଙ୍କ ହସ୍ତକ୍ଷେପ ପରେ ତୃତୀୟ ଥର ଶପଥ ନେଇ ଥିଲେ ପ୍ରଜ୍ଞା ସିଂ ଠାକୁର | ଏଠାରେ ସୂଚନା ଥାଉ କି ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଭୋପାଳ ଲୋକସଭା କ୍ଷେତ୍ରରୁ ବିଜେପି ଟିକଟରେ ନିର୍ବାଚନ ଜିତିଥିଲେ | ସେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ପରାସ୍ତ କରିଥିଲେ | ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ମହାରାଷ୍ଟ୍ରର ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ମଧ୍ୟ ଥିଲେ |

ସମ୍ବନ୍ଧିତ ଖବର