ମଧ୍ୟପ୍ରଦେଶ ରାଜନୀତି: ୧୦ ଦିନରେ ଋଣଛାଡ଼ ହେବ: ରାହୁଲ

ଭୋପାଳ: କର୍ଣ୍ଣାଟକ ପରେ ଏବେ ମଧ୍ୟପ୍ରଦେଶରେ ଋଣଛାଡ଼ ରାଜନୀତି ଆରମ୍ଭ ହୋଇଯାଇଛି। କର୍ଣ୍ଣାଟକରେ ଏଚ୍‌ଡି କୁମାରସ୍ୱାମୀ ଯେମିତି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ମଧ୍ୟରେ ସେ କୃଷିଋଣ ଛାଡ଼ କରିବେ ଏବେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମଧ୍ୟ ଠିକ୍‌ ସେହି ଢଙ୍ଗରେ କୃଷକମାନଙ୍କୁ ଋଣଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସରକାର ଗଢ଼ିଲେ ସେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ୧୦ ଦିନ କେବେ ୧୧ ଦିନ ହେବନାହିଁ ବୋଲି ମଧ୍ୟ ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ ମଧ୍ୟ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏବେ ମଧ୍ୟପ୍ରଦେଶ ସମେତ ପ୍ରାୟ ୭ଟି ରାଜ୍ୟର କୃଷକମାନେ କେନ୍ଦ୍ରର କୃଷକ ବିରୋଧୀ ନୀତିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରିଛନ୍ତି। ମଧ୍ୟପ୍ରଦେଶର ମଣ୍ଡସରରେ ଗତବର୍ଷ ଜୁନ୍‌ ୬ ତାରିଖରେ ଏକ ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ୬ କୃଷକ ପ୍ରାଣ ହରାଇଥିଲେ। ଆଜି ସେମାନଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ରାହୁଲ୍‌ ମଣ୍ଡସର ପିପ୍‌ଲିୟା ମଣ୍ଡିରେ ଏକ କୃଷକ ର‍୍ୟାଲିରେ ଉଦ୍‌ବୋଧନ ଦେଇ ଏଭଳି କହିଛନ୍ତି। ସେହିପରି ନରେନ୍ଦ୍ର ମୋଦୀ ସରକାର ଏବଂ ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କ ସରକାରକୁ କଡ଼ା ସମାଲୋଚନା କରି ରାହୁଲ୍‌ କହିଛନ୍ତି ଯେ ମୋଦୀ ଏବଂ ବିଜେପି କୃୃଷକମାନଙ୍କ ଦୁଃଖ ବୁଝୁନାହାନ୍ତି। ଧନୀ ଶିଳ୍ପପତି ବନ୍ଧୁମାନଙ୍କୁ ସହଯୋଗ କରିବା ସେମାନଙ୍କ ପାଇଁ ଗୁରୁତ୍ୱ ବହନ କରୁଛି ବୋଲି ରାହୁଲ କହିଛନ୍ତି। ଭାରତରେ ଧନୀମାନଙ୍କ ଋଣଛାଡ଼ ହେଉଛି କିନ୍ତୁ କୃଷକମାନଙ୍କ ଋଣଛାଡ଼ କ୍ଷେତ୍ରରେ ମୋଦୀ ସମ୍ପୂର୍ଣ୍ଣ ନିରବ ବୋଲି ସେ କହିଥିଲେ। ଆଜି ର‍୍ୟାଲିରେ ଯୋଗ ଦେବା ପୂର୍ବରୁ ରାହୁଲ୍‌ ଗତବର୍ଷ ଚାଷୀ ଆନ୍ଦୋଳନ ବେଳେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୬ କୃଷକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର