ଭୀମା କୋରେଗାଓଁ ହିଂସାକାଣ୍ଡ: ମାଓବାଦୀ ସମ୍ପର୍କ: ୫ ଗିରଫ

ପୁଣେ: ଗତ ଜାନୁଆରୀ ୧ ତାରିଖରେ ହୋଇଥିବା ଭୀମା କୋରେଗାଓଁ ହିଂସାକାଣ୍ଡର ପାଖାପାଖି ୬ ମାସ ପରେ ଆଜି ପୁନେ ପୁଲିସ ୫ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୫ ଜଣଙ୍କ ଅଭିଯୁକ୍ତଙ୍କର ମାଓବାଦୀଙ୍କ ସହ ଲିଙ୍କ୍‌ ଥିବା ବେଳେ ଭୀମା କୋରେଗାଓଁ ହିଂସାକାଣ୍ଡ ପାଇଁ ସେମାନେ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଆଜି ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ୪ ଜଣ ଦଳିତ କର୍ମୀ ସୁଧୀର ଧଓ୍ଵାଲେ, ଆଇନଜୀବୀ ସୁରେନ୍ଦ୍ର ଗାଡ଼ଲିଙ୍ଗ, ମହେଶ ରାଉତ ଏବଂ ପ୍ରଫେସର ଶୋମା ସେନ୍‌ ଏବଂ ରୋନା ଓ୍ଵିଲସନ ରହିଛନ୍ତି । ସେମାନଙ୍କୁ ପୁନେ ପୁଲିସ ମୁମ୍ବାଇ, ନାଗପୁର ଏବଂ ଦିଲ୍ଲୀରୁ ଗିରଫ କରିଛି। ସୁଧୀର ଧଓ୍ଵାଲେ ମରାଠି ପତ୍ରିକା ବିଦ୍ରୋହୀର ସମ୍ପାଦକ। କୋରେଗାଓଁ ଭୀମା ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଏଲଗାର ପରିଷଦର ପରିଚାଳନା କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ସେ ଜଣେ। ଗିରଫ ହୋଇଥିବା ନାଗପୁରର ଆଇନଜୀବୀ ସୁରେନ୍ଦ୍ର ଗାଡ଼ଲିଙ୍ଗ ମାଓବାଦୀ ଲିଙ୍କ୍‌ ନେଇ ଗିରଫ ହେଉଥିବା ଲୋକମାନଙ୍କୁ ଆଇନଗତ ସହଯୋଗ କରୁଥିଲେ। ଅନ୍ୟପକ୍ଷେ ଶୋମା ସେନ୍‌ ନାଗପୁର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର। ତାଙ୍କ ସ୍ୱାମୀ ତୁଷାର କ୍ରାନ୍ତି ଭଟ୍ଟାଚାର୍ଯ୍ୟଙ୍କୁ ୨୦୧୦ ମସିହାରେ ମାଓବାଦୀ ଲିଙ୍କ୍‌ ନେଇ ଗିରଫ କରାଯାଇଥିଲା। ସେହିପରି ମହେଶ ରାଉତ ଏବଂ ରୋନା ଓ୍ଵିଲସନ୍‌ଙ୍କୁ ମଧ୍ୟ ଏହି ଭୀମା କୋରେଗାଓଁ ହିଂସାକାଣ୍ଡ ଏବଂ ମାଓବାଦୀ ଲିଙ୍କ୍‌ ନେଇ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୧ ତାରିଖରେ କୋରେଗାଓଁ ଭୀମା ଯୁଦ୍ଧର ୨୦୦ବର୍ଷ ପୂର୍ତ୍ତି ଅବସରରେ ପୁଣେ ସ୍ଥିତ କୋରେଗାଓଁ ଭୀମାରେ କବୀର କଳା ମଞ୍ଚର ଏହି ଦଳିତ କର୍ମୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାଫଳରେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଦେଖାଦେଇଥିଲା। ଏହି ହିଂସାକାଣ୍ଡ ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ସଙ୍ଗେକୁ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର