ପ୍ରସବ ଗୃହରେ ଶୁଭିଲା ଗାୟତ୍ରୀମନ୍ତ୍ର, ସଂଖ୍ୟାଲଘୁ ଗୋଷ୍ଠୀ କଲେ ବିରୋଧ

ଜୟପୁର: ରାଜସ୍ଥାନର ମୁସଲିମ ସମ୍ପ୍ରଦାୟର କାର୍ଯ୍ୟକର୍ତ୍ତାମାନେ ଡାକ୍ତରଖାନାରେ ଗାୟତ୍ରୀ ମନ୍ତ୍ର ବଜାଯିବା ଘଟଣାକୁ ନେଇ ତୀବ୍ର ଆପତ୍ତି କରିଛନ୍ତି | ଏହାକୁ ନେଇ ସେମାନେ ବିକ୍ଷୋଭ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କୁ ଅଭିଯୋଗ କରିଛନ୍ତି |

ସବାଇ ମାଧପୁରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତେଜରାମ ମିନା କହିଥିଲେ ଯେ ଜିଲ୍ଲା ଚିକିତ୍ସାଳୟର ପ୍ରସବ ଗୃହରେ ଗାୟତ୍ରୀମନ୍ତ୍ର ବଜାଯାଉଛି | ଆଉ ଜିଲ୍ଲାରେ ଥିବା ଅନ୍ୟ ୨୦ଟି ପ୍ରସବ ଗୃହରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ | ତେଜରାମ କହିଥିଲେ ଯେ ଗାୟତ୍ରୀ ମନ୍ତ୍ର ବଜାଯିବା ଦ୍ୱାରା ପ୍ରସୂତି ମହିଳା ଜଣଙ୍କୁ ଯନ୍ତ୍ରଣା ବେଦନା ହୋଇନଥାଏ | ଆଶ୍ଚର୍ଯ୍ୟର କଥା ବର୍ଷକରୁ ଅଧିକ ସମୟ ଧରି ସିରୋହି ଜିଲ୍ଲା ହସ୍ପିଟାଲର ଲେବର ରୁମରେ ପ୍ରସବ ସମୟରେ ମହିଳାଙ୍କୁ ଗାୟତ୍ରୀମନ୍ତ୍ର ଶୁଣାଯାଉଛି | ଉଦୟପୁରରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି |

ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ଧାର୍ମିକ ଧୁନ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇନାହିଁ | ଏହି ଘଟଣାକୁ ନେଇ ଯାଞ୍ଚ କରାଯିବ | ସ୍ୱାସ୍ଥ୍ୟ ସଚିବ ଡାକ୍ତର ସମିତ ଶର୍ମା କହିଛନ୍ତି ଯେ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି କରାଯିବା ଠିକ ହୋଇନାହିଁ | ତେବେ ଏହାକୁ ନେଇ ମୁସଲିମ ସଂଗଠନମାନେ ବିରୋଧ କରିବା ସହ କହିଛନ୍ତି ଯେ ଇସଲାମ ଅନୁସାରେ ନବଜାତ ଶିଶୁର କାନ ପ୍ରଥମେ ଅଜାନ ଶୁଣିବା ଆବଶ୍ୟକ |

ସମ୍ବନ୍ଧିତ ଖବର