ପଶ୍ଚିମବଙ୍ଗ ପ୍ରଚାର ମଇଦାନରେ ନଡ୍ଡା, ରାଜନାଥ, ଯୋଗୀ

କୋଲକାତା: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ନିକଟତର ହେବାରେ ଲାଗିଛି। ଏଥିପାଇଁ ରାଜନୈତିକ ଦଳମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନକୁ ଜୋରଦାର କରିବା ଆରମ୍ଭ କରିଦେଇଛନ୍ତି। ମମତାଙ୍କୁ ଶାସନ କ୍ଷମତାରୁ ହଟାଇବା ପାଇଁ ଆଜି ବିଜେପିର ହେଭିୱେଟ୍‌ ନେତାମାନେ ରାଜ୍ୟରେ ପହଞ୍ଚିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦ୍ବିତୀୟ ଥର ରାଜ୍ୟଗସ୍ତରେ ଆସି ଆଜି ତିନିଟି ପ୍ରମୁଖ ଅଞ୍ଚଳ‌ରେ ସଭା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆଜି ବିଷ୍ଣୁପୁରରେ ରୋଡ ସୋ’ କରିଛନ୍ତି। ମେଦିନୀପୁରରେ ଏକ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଯେଉଁଦିନ ବିଜେପି ଏ ରାଜ୍ୟରେ ସରକାର ଗଠନ କରିବ ସେହିଦିନଠାରୁ ଏଠାରେ ବୋମା ତିଆରି ବନ୍ଦ ହୋଇଯିବ। ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେ ପ୍ରଶ୍ନ କରିଛନ୍ତି, କ’ଣ ଚାଲିଛି ବଙ୍ଗଳା‌ରେ? ବୋମା ତିଆରି ଚାଲିଛି। ସାଧାରଣ ଲୋକଙ୍କ ଉପରକୁ ବୋମା ଫିଙ୍ଗାଯାଉଛି। ପୂରା ନାଟକ ଚାଲିଛି ଏଠି।

ଦାସପୁରରେ ଆୟୋଜିତ ସଭାରେ ରାଜନାଥ କହିଲେ, ମମତା ଦିଦି ୧୦ ବର୍ଷ କ୍ଷମତାରେ ରହି ବଙ୍ଗଳାର ବିକାଶ ପାଇଁ କ’ଣ କରିଛନ୍ତି? ଚାରିଆଡ଼େ କେବଳ ହିଂସା। ଶହଶହ ଲୋକ ବଳି ପଡ଼ୁଛନ୍ତି। ନିଜ ରାଜ୍ୟରେ ହିଂସା ରୋକିବା ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କର। ହେଲେ ଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ହିଂସାକୁ ଉସୁକାଉଛନ୍ତି। ସବୁ କ୍ଷେତ୍ରରେ ପଶ୍ଚିମବଙ୍ଗ‌ ପଛରେ ପଡ଼ିଛି। ଏଥିପାଇଁ ମମତା ଦିଦି ହିଁ ଦାୟୀ। ରାଜ୍ୟବାସୀଙ୍କ ଲାଗି କେନ୍ଦ୍ରରୁ ଯେଉଁ ଅର୍ଥ ଆସୁଛି ତାହାର ୧୫ରୁ ୨୫ ପ୍ରତିଶତ ଭ୍ରଷ୍ଟାଚାର ପାଇଁ ଯାଉଛି। ନନ୍ଦୀଗ୍ରାମରେ ମମତା ଆହତ ହେବା ଘଟଣାକୁ ନେଇ ରାଜନାଥ କହିଲେ, ସୁରକ୍ଷାରେ ଅବ୍ୟବସ୍ଥା ହେତୁ ଏଭଳି ଦୁର୍ଘଟଣା ଘଟିଲା। ହେଲେ ମମତା ଅଯଥାରେ ବିଜେପିକୁ ଲାଞ୍ଛିତ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ। ନଡ୍ଡା ବିଷ୍ଣୁପୁର ଏବଂ କୋତୁଲପୁରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ବିଷ୍ଣୁପୁରରେ ରୋଡ଼୍‌ ସୋ’ ପରେ ଜନସଭାରେ ନଡ୍ଡା କହିଲେ, ଏ ରାଜ୍ୟରୁ ପରିବାରବାଦ ଶାସନ ହଟିବ। ଦିଦି ହଟିବେ। ସମୟ ପାଖେଇ ଆସିଲାଣି। ଯୋଗୀ ଆଦିତ୍ୟନାଥ ଆଜି ପୁରୁଲିଆ, ବାଙ୍କୁରା ଓ ମେଦିନୀପୁରରେ ଆୟୋଜିତ ୩ଟି ଜନସଭାକୁ ସମ୍ବୋଧିତ କରିଛନ୍ତି।

ସମ୍ବନ୍ଧିତ ଖବର