ଗୌହାଟୀ : ବର-କନ୍ୟାଙ୍କ ହାତରେ ରାଇଫଲ୍

ଗୌହାଟୀ : ନାଗାଲାଣ୍ଡର ବି‌ଦ୍ରୋହୀ ନେତା ବୋହୋତୋ କିବାଙ୍କ ପୁଅ ବିବାହ ଭୋଜି ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ବର ଓ କନ୍ୟା ଦୁହେଁ ଷ୍ଟେଜ୍ ଉପରେ ଏକେ ୫୬ ଓ ଏମ୍‌ଆଇ୧୬ ରାଇଫଲ ଧରିଥିବାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ୍‌ ହୋଇଥିବା ଫଟୋରେ ବର ଓ କନ୍ୟା ଦୁହେଁ ଫଟୋ ସୁଟ୍ ସମୟରେ ସ୍ବୟଂଚାଳିତ ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଥିବା ଦେଖାଯାଇଥିଲା। ସାମାନ୍ୟ ଅନ୍ୟମନସ୍କ ହେଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ଥିବାରୁ ଏହାକୁ ଅନେକ ନାପସନ୍ଦ କରିଥିଲେ। ବୋହୋତୋ କିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନ୍ୟାସ୍‌ନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ-ୟୁନିଫିକେସନର ପ୍ରମୁଖ ନେତା। ବାହାଘର ଭୋଜି ଗତ ଶନିବାର ଦିମାପୁରରେ ଆୟୋଜିତ କରାଯାଇଥିଲା। ଅତିଥି ଏ ଘଟଣାକୁ ନାପସନ୍ଦ କରିଥିଲେ ମଧ୍ୟ କୌଣସି ଆପତ୍ତି ଉଠାଇ ନଥିଲେ। ଭୋଜି ଖାଇ ବର-କନ୍ୟାଙ୍କୁ ଆଶୀର୍ବାଦ ଦେଇ ସମସ୍ତେ ଘରକୁ ଚାଲି ଯାଇଥିଲେ। ହେଲେ ଫଟୋଟି ସୋସିଆଲ ମିଡିଆକୁ ଆସିବା ପରେ ଲୋକେ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର