ଭାରତୀୟ ସୀମାର ୪୦୦ ମିଟର ଭିତରେ ଉଡ଼ିଲା ନେପାଳ ବିମାନ, କିଛି ଏମିତି କାରଣ ଦେଲା ନେପାଳ

ନୂଆଦିଲ୍ଲୀ: ଭାରତୀୟ ସୀମା ମଧ୍ୟକୁ ପୁଣିଥରେ ପଶିଲା ନେପାଳ ବିମାନ । ପାକିସ୍ତାନ ପରେ ହଠାତ୍ ନେପାଳ ବିମାନକୁ ଭାରତ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ଏବେ ହାଇ ଆଲର୍ଟରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ନେପାଳକୁ ଲାଗି ରହିଥିବା ବିହାରର ମହାରାଜଗଞ୍ଜ ଜିଲ୍ଲାରେ ନେପାଳର ଏକ ବିମାନ ବେଶ କିଛି ସମୟ ଉଡୁଥିବାର ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଭାରତୀୟ ସୀମାରେ ରହିବା ପରେ ପୁଣିଥରେ ନେପାଳ ସୀମାକୁ ଫେରିଯାଇଥିଲା ବିମାନ ।

ସୂଚନା ମୁତାବକ, ନେପାଳର ଗୌତମ ବୁଦ୍ଧ ବିମାନବନ୍ଦରରେ ଅବତରଣ ସମୟରେ ଏକ ବିମାନ ଭାରତୀୟ ସୀମାର ୪୦୦ ମିଟର ଭିତରକୁ ପଶି ଆସିଥିଲା । ଶୁକ୍ରବାର ମଧ୍ୟାହ୍ନ ୧ଟା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଖରାପ ପାଗ ଓ ଅବତରଣ ପାଇଁ ସିଗନାଲ ନମିଳିବା ଦ୍ୱାରା ଏଭଳି ସମସ୍ୟା ଦେଖାଦେଇଥାଏ । ଯେତେବେଳେ ଉତ୍ତର ଦିଗରେ ପାଗ ଖରାପ ହୁଏ ସେତେବେଳେ ଅବତରଣ ପାଇଁ ବିମାନକୁ ଦକ୍ଷିଣରୁ ଆସିବାକୁ ପଡିଥାଏ, ଯାହାଫଳରେ ଭାରତୀୟ ସୀମା ଉପରେ ଉଡିବାକୁ ପଡିଥାଏ । କେବଳ ପାଗ ଖରାପ ରହିଲେ ହିଁ ଏଭଳି ସମସ୍ୟା ଦେଖାଦିଏ ।

ନେପାଳର ଅଧିକାରୀ କହିଛନ୍ତି ଯେ , ଗୌତମ ବୁଦ୍ଧ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଅବତରଣ କରିବାକୁ ୪ କିଲୋମିଟର ପରିଧି ଆବଶ୍ୟକ । ଦକ୍ଷିଣ ଦିଗରୁ ବିମାନବନ୍ଦରର ୩ କିଲୋମିଟର ଦୂରରେ ଭାରତୀୟ ସୀମା ପଡିଥାଏ । ତେଣୁ ପାଗ ଖରାପ ରହିଲେ ଓ ଦକ୍ଷିଣ ଦିଗରୁ ବିମାନକୁ ଅବତରଣ କରାଇଲେ ଭାରତୀୟ ସୀମା ଦେଇ ଆସିବାକୁ ପଡିଥାଏ । ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଗୋରଖପୁର, ବାରଣାସୀ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲଠାରୁ ପାଇଲଟଙ୍କୁ ଅନୁମତି ନେବାକୁ ପଡିଥାଏ । ତେବେ ଏହା ପ୍ରଥମଥର ନୁହେଁ, ଏହାପୂର୍ବରୁ ମଧ୍ୟ ଅନେକଥର ନେପାଳ ବିମାନ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଛି ।

ସମ୍ବନ୍ଧିତ ଖବର