ସିଏଏ ବିରୋଧୀ ହିଂସାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୟୁପି ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

୫,୫୦୦ ଅଟକ, ୯୨୫ ଗିରଫ, ୫୧୭ ବନ୍ଧୁକ ଲାଇସେନ୍ସଧାରୀଙ୍କୁ ନୋଟିସ୍‌

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ଓ ହିଂସା ପାଇଁ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ହିଂସା ଓ ଆନ୍ଦୋଳନ ପାଇଁ ଉତ୍ତରପ୍ରଦେଶରେ ୫,୫୫୮ ଲୋକ ଅଟକ ରହିଛନ୍ତି ଏବଂ ୯୨୫ ଜଣ ଗିରଫ ହୋଇଛନ୍ତି। ପୁଲିସ ହିଂସା ମାମଲାରେ ୨୧୩ଟି ଏଫ୍‌ଆଇଆର ରୁଜୁ କରିଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ହିଂସା ଘଟଣାରେ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚଆରସି)। ହିଂସା ଓ ହତ୍ୟା ସଂକ୍ରାନ୍ତରେ ଡିଜିପିଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଉତ୍ତର ରଖିବାପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛି। ବିଭିନ୍ନ ସ୍ଥାନରେ ପୁଲିସ ପ୍ରଦର୍ଶନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଏବଂ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ହିଂସାତ୍ମକ ବିକ୍ଷୋଭକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କେତେକ ସ୍ଥାନରେ ଆଖିବୁଜା ଗୁଳିମାଡ଼ କରିଥିବା ରିପୋର୍ଟ ମିଳିଛି। ଏହାକୁ ନେଇ ମଧ୍ୟ ବିଭିନ୍ନ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଏଏ ବିରୋଧୀ ଆନ୍ଦୋଳନ ଓ ହିଂସାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯେଉଁମାନେ ସିଏଏ ନାମରେ ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି‌ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପୂର୍ବରୁ ସରକାର ଚେତାବନୀ ଦେଇଥିବା ବେଳେ ଏବେ ଏହା କାର୍ଯ୍ୟକାରୀ ହେଉଛି। ଏ ପର୍ଯ୍ୟନ୍ତ ୩୦ ଲୋକଙ୍କୁ ସରକାରୀ ସମ୍ପତ୍ତି ନଷ୍ଟ କରିଥିବାରୁ ନୋଟିସ୍‌ ଜାରି ହୋଇଛି। ସେମାନେ ସପ୍ତାହକ ମଧ୍ୟରେ ନୋଟିସର୍‌ ଜବାବ ରଖିବେ ଏବଂ ଏହାପରେ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହେବ ‌ବୋଲି ଘୋଷଣା କରାଯାଇଛି। ମିରଟ୍‌ରେ ମଧ୍ୟ ୫୧୭ ବନ୍ଧୁକ ଲାଇସେନ୍ସଧାରୀଙ୍କୁ ନୋଟିସ୍‌ କରାଯାଇଛି। ମିରଟ୍‌ ଜିଲ୍ଲାପାଳ କହିଛନ୍ତି ଆନ୍ଦୋଳନ ସମୟ‌ରେ ହୋଇଥିବା ସମ୍ପତ୍ତି ନଷ୍ଟ ପାଇଁ ୧୪୮ ଜଣଙ୍କ ବିରୋଧରେ ଏଫ୍‌ଆଇଆର ହୋଇଛି। ପୂର୍ବରୁ ମୁଜାଫରନଗରର ୫୦ରୁ ଅଧିକ ଉପଦ୍ରବକାରୀଙ୍କ ଦୋକାନକୁ ପ୍ରଶାସନ ସିଲ କରିଦେଇଛି।

ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ଓ ହିଂସା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ‌ହୋଇଛି ଏବଂ ବ୍ୟାପକ ପରିମାଣରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ୩୦ରୁ ଅଧିକ ସହରରେ ଯୋଜନାବଦ୍ଧ ହିଂସା ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର