ନିର୍ଭୟା ଗଣଦୁଷ୍କର୍ମ ଦୋଷୀସାବ୍ୟସ୍ତଙ୍କ ରିଭ୍ୟୁ ପିଟିସନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ : ଏହା ଶାସନ ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ବୋଲି କହିଲେ ନିର୍ଭୟାଙ୍କ ମା’
ନୂଆଦିଲ୍ଲୀ: ୨୦୧୨ରେ ଭାରତର ରାଜଧାନୀରେ ନିର୍ଭୟାଙ୍କୁ ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରାଯାଇଥିଲା, ତାହା ସାରା ଦେଶବାସୀଙ୍କ ହୃଦୟ ଥରାଇ ଦେଇଥିଲା। ଘଟଣାର କିଛି ଦିନ ପରେ ପୀଡ଼ିତା ଆଖି ବୁଜିଥିବା ବେଳେ ୭ବର୍ଷ ପରେ ଏବେ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ମିଳିବାକୁ ଯାଉଛି । ହେଲେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂହ ନାମକ ଜଣେ ଅଭିଯୁକ୍ତ ଦୁଇ ଦିନ ତଳେ ନିଜ ମୃତ୍ୟୁଦଣ୍ଡ ଉପରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଆଜି ସୁପ୍ରିମକୋର୍ଟ ଏହି ପିଟିସନକୁ ଗ୍ରହଣ କରିଛନ୍ତି। ଡିସେମ୍ବର ୧୬ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ମିଳିବ ବୋଲି ସ୍ଥିର ହୋଇଥିବା ବେଳେ ଏବେ ଅକ୍ଷୟ ସିଂହଙ୍କ ରିଭ୍ୟୁ ପିଟିସନ ଉପରେ ଡିସେମ୍ବର ୧୭ରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଦିନ ୨ଟାରେ ୩ଜଣ ବିଚାରପତିଙ୍କ ଖଣ୍ଡପୀଠ ମିଳିତ ଭାବରେ ଏହି ମାମଲା ଉପରେ ରାୟ ଶୁଣାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ ଗ୍ରହଣ କରିଥିବା ଜାଣି ଆଶ୍ଚର୍ଯ୍ୟ ହେବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି, ‘ଏଭଳି ଖବର ଶୁଣିବା ପରେ ମୋତେ ଶକ୍ତ ଝଟକା ଲାଗିଛି। ଆମର ଆଶା ଥିଲା କି ଡିସେମ୍ବର ୧୬ରେ ୪ ଦୋଷୀ ଫାଶୀ ପାଇବା ସହ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। କିନ୍ତୁ ଦୋଷୀମାନଙ୍କ ଆଗରେ ଆମ ଶାସନ ବ୍ୟବସ୍ଥା ହାର ମାନିଗଲା। ରିଭ୍ୟୁ ପିଟିସନ ପୂରା ଶାସନ ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ମାରିଛି। ସୁପ୍ରିମକୋର୍ଟ ଦୋଷୀର ରିଭ୍ୟୁ ପିଟିସନକୁ ଗ୍ରହଣ କରିବାର ନଥିଲା। ଆମ ଶାସନ ବ୍ୟବସ୍ଥା ଦୋଷୀଙ୍କୁ ସମର୍ଥନ କରୁଛି। ସେମାନେ ଜିତିବା ସହ ଆମେ ହାରିବାରେ ଲାଗିଛୁ।’